କନକ ବ୍ୟୁରୋ : କ୍ୱାକ୍ ପତ୍ନୀଙ୍କ ଭୁଲ ଚିକିତ୍ସା ପାଇଁ ଚାଲିଗଲା ଦନ୍ତରୋଗୀଙ୍କ ଜୀବନ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳାରୁ । ଅଭିଯୋଗ ଅନୁସାରେ, କ୍ୱାକଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ଚିକିତ୍ସା କରୁଥିଲେ । ଆଉ ଦାନ୍ତ ବ୍ୟଥାରେ ପୀଡ଼ିତ ରୋଗୀଙ୍କ ଭୁଲ ଚିକିତ୍ସା ଯୋଗୁ ତାଙ୍କର ଜୀବନ ଚାଲିଯାଇଛି । କାଲିମେଳାର ତପନ ପାଲ ନାମକ ଜଣେ ବ୍ୟବସାୟୀ ଦାନ୍ତ ରୋଗରେ ପୀଡ଼ିତ ଥିଲେ । ଦାନ୍ତ ଓପାଡ଼ିବାକୁ ଘର ପାଖରେ ଥିବା କ୍ୱାକଙ୍କ କ୍ଲିନିକକୁ ଯାଇଥିଲେ ।
ତେବେ ବର୍ଷ ବର୍ଷ ଧରି କାଲିମେଳା ସଦର ମହକୁମାରେ ବେଆଇନ୍ ଭାବେ ଚିକିତ୍ସା ଚଳାଇଥିବା ନକଲି ଡାକ୍ତର ରବିନ୍ଦ୍ର ନାଥ ବିଶ୍ୱାସ ଅନୁପସ୍ଥିତ ଥିବାରୁ ତାଙ୍କ ପତ୍ନୀ ତପନଙ୍କ ଦାନ୍ତ ଓପାଡ଼ି ଥିଲେ । ତପନ ଜଣେ ଡାଇବେଟିସ୍ ରୋଗୀ ହୋଇଥିବାରୁ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା । ତାଙ୍କୁ ତୁରନ୍ତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିବା ବେଳେ କ୍ୱାକଙ୍କ ପତ୍ନୀ କ୍ଲିନିକ୍ ଛାଡ଼ି ଫେରାର୍ ହୋଇଯାଇଥିବା ଜଣାପଡ଼ିଛି ।
Follow Us