ଗାନ୍ଧୀଙ୍କୁ ନେଇ ଭ୍ରମାତ୍ମକ ତଥ୍ୟ ପରେ ବିବାଦ । ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୁ୍ଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ।

426

କନକ ବ୍ୟୁରୋ :  ମହାତ୍ମା ଗାନ୍ଧୀଙ୍କୁ ନେଇ ଶିକ୍ଷା ବିଭାଗର ଭୁଲ ତଥ୍ୟ । ଯାହାକୁ ନେଇ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲରେ ବଂଟାଯାଇଥିବା ଲିଫଲେଟରେ ଭୁଲ ତଥ୍ୟ ଥିଲା, ଯାହାକୁ ନେଇ ସାଂଘାତିକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବିଭାଗ ପକ୍ଷରୁ ବଣ୍ଟା ଯାଇଥିବା ଲିଫଲେଟରେ ଲେଖାଯାଇଛି, ଜାନୁଆରୀ ୩୦, ୧୯୪୮ ମସିହାରେ ଏକ ଆକସ୍ମିକ ଘଟଣାରେ ମହାତ୍ମା ଗାନ୍ଧୀଙ୍କର ମୃତ୍ୟୁ ଘଟିଥିଲା । ଯାହାକି ସଂପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ ବୋଲି ସାମ୍ବାଦିକ ସମ୍ମିଳନୀ କରି ମତ ରଖିଛନ୍ତି ଅନେକ ସାମାଜିକ କର୍ମୀ । ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା କଥାକୁ ଏଥିରେ ଉଲ୍ଲେଖ କରାଯାଇ ନାହିଁ । ଏପରିକି ନାଥୁରାମ ଗଡସେ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା କଥାକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇ ନାହିଁ ।

ଲୋହିଆ ଏକାଡେମୀ ଓ ରାଷ୍ଟ୍ରୀୟ ଯୁବ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରିବା ସହ ଯେଉଁ ବ୍ୟକ୍ତିବିଶେଷ ଏହାକୁ ଲେଖିଛନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଭାଗ ପକ୍ଷରୁ ଆମ ବାପୁଜୀ : ଏକ ଝଲକ ସଂକ୍ରାନ୍ତୀୟ ଲିଫଲେଟ ସମସ୍ତ ସ୍କୁଲରେ ବଂଟନ କରାଯାଇଥିଲା । ଆଉ ଏଥିରେ ଥିବା ସାଂଘାତିକ ତ୍ରୁଟି ସାମ୍ନାକୁ ଆସିବା ପରେ ବିବାଦ ଘେରକୁ ଆସିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀଙ୍କୁ ପାଳନ କରିବାକୁ ନିଷ୍ପତ୍ତି ନେଇ ଆଗକୁ ବଢୁଥିବା ବେଳେ ଏହି ତ୍ରୁଟି ଏକ ଭିନ୍ନ ବାର୍ତ୍ତା ଦେଉଥିବା ଗାନ୍ଧିବାଦୀମାନେ ମତ ରଖିଛନ୍ତି । ଏଭଳି ଅକ୍ଷମଣୀୟ ଅପରାଧକୁ କେବେ ଗ୍ରହଣ କରାଯିବ ନାହିଁ ବୋଲି ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।