କନକ ବ୍ୟୁରୋ: ଭାରତୀୟ ସିନେମା ପାଇଁ ଆଉ ଏକ ଗର୍ବର ବିଷୟ । ଦୁନିଆଁର ସବୁଠୁ ବଡ ପୁରସ୍କାର ସମାରୋହରେ ଭାରତ ପୁଣିଥରେ ନିଜ ପାଇଁ ସ୍ଥାନ ପାଇପାରିଛି । ସମସ୍ତ ସିନେ ପ୍ରେମୀଙ୍କୁ ଯାହା ପାଇଁ ଅତି ଆଗ୍ରହର ସହ ଅପେକ୍ଷା ଥିଲା, ଶେଷରେ ସେହି ସମୟ ଆସିଛିି । ୯୪ତମ ଓସ୍କାର ଆୱାର୍ଡ ପାଇଁ ନୋମିନେସନ୍ ତାଲିକା ପ୍ରକାଶ ପାଇଛି । ୨୦୨୨ର ଏହି ଓସ୍କାର ପୁରସ୍କାର ତାଲିକାରେ ଭାରତର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ରାଇଟିଙ୍ଗ ୱିଥ୍ ଫାୟାର’କୁ ସାମିଲ କରାଯାଇଛି । ଏହାକୁ ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ କାଟାଗରୀ ପାଇଁ ବଛାଯାଇଛି ।
ଓସ୍କାର ପୁରସ୍କାର ପାଇଁ ନୋମିନେଟ୍ ହେବାରେ ଏହା ହେଉଛି ପ୍ରଥମ ଭାରତୀୟ ଡକ୍ୟୁମେଣ୍ଟାରୀ । । ଏହାକୁ ‘ୱାସିଙ୍ଗଟନ୍ ପୋଷ୍ଟ’ ସବୁଠୁ ପ୍ରେରଣାଦାୟୀ ସମ୍ବାଦିକତା ଡୁକ୍ୟୁମେଣ୍ଟାରୀ ବୋଲି ମତ ଦେଇଛି । ‘ ଦ ନ୍ୟୁୟର୍କସ୍ ଟାଇମ୍ସ’ ମଧ୍ୟ ଏହାର ଖୁବ୍ ପ୍ର୍ରଶଂସା କରିଛି । ଏହି ଡକ୍ୟୁମେଣ୍ଟାରୀ ‘ଖବର ଲେହେରିୟା’ ସାମ୍ବାଦପତ୍ରର ଭାରତୀୟ ଦଳିତ ମହିଳା ସାମ୍ବାଦିକଙ୍କ ଉପରେ ଆଧାରିତ । ତେବେ ଏହି ସମ୍ବାଦପତ୍ରର ସ୍ୱତନ୍ତ୍ରତା କ’ଣ?
ଲେହେରିୟା ଏପରି ଏକ ସମ୍ବାଦପତ୍ର ଯାହା ୨୦୦୨ରେ ସାପ୍ତାହିକ ଭାବେ ଆରମ୍ଭ ହୋଇଥିଲା । ଏହାର ଚାହିଦା ଏହାକୁ ଦୈନିକ ସମ୍ବାଦପତ୍ରର ପରିଚୟ ଦେଇଛି । ଏହାକୁ ଡିଜିଟାଲାଇଜେସନ୍ ମଧ୍ୟ କରାଯାଇଛି । କଥା ହେଉଛି ଏହାକୁ ଦୁଇ ଜଣ ଦଳିତ ମହିଳା ସାମ୍ବାଦିକ ଆରମ୍ଭ କରିଥିଲେ । ଏଥିରେ କାମ କରୁଥିବା ସମସ୍ତ ରିପୋର୍ଟର , ଏଡିଟର ମହିଳା ଓ ପଛୁଆ ବର୍ଗର ବୋଲି ସୂଚନା ରହିଛି । କିନ୍ତୁ ଏମାନଙ୍କ କାର୍ଯ୍ୟ ଦକ୍ଷତା ଏମାନଙ୍କ ଜାତି ଓ ସମ୍ପ୍ରଦାୟକୁ ପଛରେ ପକାଇଦେଇଛି ।
‘ଫାୟାର ୱିଥ୍ ରାଇଟିଙ୍ଗ’ରେ ଏହି ମହିଳା ସାମ୍ବାଦିକଙ୍କ ନିର୍ଭୀର୍କ ସାମ୍ବାଦିକତାକୁ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରିଣ୍ଟୁ ଥୋମାସ୍, ସୁସ୍ମିତା ଘୋଷ । ଏହା ଏହି ଦୁହିଁଙ୍କର ପ୍ରଥମ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ । ମାର୍ଚ୍ଚ ୨୭ ତାରିଖରେ ଓସ୍କାରର ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ, ଯାହାକୁ ନେଇ ସବୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବଳ ଉକ୍ରଣ୍ଠା ।