କନକ ବ୍ୟୁରୋ  : ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ ।  ତେବେ ଏହି ଟିମରେ ୱିକେଟକିପର ରିଦ୍ଧିମାନ ଶାହାଙ୍କୁ ସ୍ଥାନ ମିଳିନାହିଁ । ଟିମରେ ସ୍ଥାନ ନ ମିଳିବା ପରେ ଶାହା ମୁହଁ ଖୋଲିଛନ୍ତି ।ଣ୍ଟଶାହା କହିଛନ୍ତି, ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଅବସର ବାବଦରେ ଚିନ୍ତା କରିବାକୁ କହିଥିଲା କାରଣ ଆଗକୁ ଆଉ ତାଙ୍କର ଚୟନ ଉପରେ ବିଚାର କରାଯିବ ନାହିଁ ବୋଲି ରୋକଠୋକ କୁହାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟ. ରଣଜୀ ଟ୍ରଫିରୁ ରିଦ୍ଧିମାନ ଓହରିଯିବାର ଏହା ସବୁଠୁ ବଡ କାରଣ ବୋଲି କୁହାଯାଉଛି । କାରଣ ତାଙ୍କୁ କୁହାଯାଇଥିଲା ଯେ, ଭାରତୀୟ ଟିମରେ ତାଙ୍କୁ ଆଉ ଚୟନ କରାଯିବ ନାହିଁ ।

Advertisment

ରିଦ୍ଧିମାନ କହିଛନ୍ତି, ଯେହେତୁ ମୁଁ ଦଳ ପାଇଁ ଖେଳୁଥିଲି ତେଣୁ ଏ ବାବଦରେ କୌଣସି ବୟାନ ରଖିବାକୁ ଚାହିଁନଥିଲି । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ଦିଆଯିବା ପରେ ମୁହଁ ଖୋଲିବାକୁ ଉଚିତ୍ ମଣିଲି । ଏପରିକି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡ ମଧ୍ୟ ମୋତେ ଅବସର ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି ଶାହା । ଏପରିକି ଏହା ପଛର କାରଣ ବୟସ ନା ପ୍ରଦର୍ଶନ ବୋଲି ପଚାରିଥିଲି । ଆଉ ଉତ୍ତରରେ ଦ୍ରାବିଡ କହିଥିଲେ, ଟିମ୍ ମ୍ୟାନେଜମେଣ୍ଟ  ଜଣେ ଯୁବ ୱିକେଟକିପରଙ୍କୁ ଖୋଜୁଛି । ତେଣୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର ବୋଲି କହିଥିଲେ ।

କେବଳ ଟିମ୍ ମ୍ୟାନେଜମେଣ୍ଟ ନୁହେଁ ବରଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ରିଦ୍ଧିମାନ ବର୍ଷିଛନ୍ତି । ଶାହା କହିଛନ୍ତି, ଟିମରେ ସ୍ଥାନକୁ ନେଇ ଅଦୌ ଚିନ୍ତା ନକରିବାକୁ ଗାଙ୍ଗୁଲି ମୋତେ ଆଶ୍ୱସ୍ତ କରିଥିଲେ । ଗତବର୍ଷ ନଭେମ୍ବର ମାସରେ କାନପୁରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ପେନ୍ କିଲର ଖାଇ ଅପରାଜିତ ୬୧ ରନ କରିଥିଲି, ସେତେବେଳେ ଗାଙ୍ଗୁଲି ମୋତେ ଧନ୍ୟବାଦ ଜଣାଇଥିଲେ । ଏପରିକି ଯେତେବେଳ ଯାଏଁ ଶୀର୍ଷ ପଦବୀରେ ରହିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଆଶ୍ୱସ୍ତ କରିଥିଲେ । ଆଉ ସେତେବେଳେ ବୋର୍ଡ ଅଧ୍ୟକ୍ଷଙ୍କ ଏଭଳି ଆଶ୍ୱସ୍ତିବାଣୀ ମୋର ଆତ୍ମବିଶ୍ୱାସ ବଢାଇଥିଲା । କିନ୍ତୁ ସବୁ କିଛି ଏତେ କମ ସମୟ କାହିଁକି ବଦଳିଗଲା ତାହା ମୋର ବୁଝିବା ବାହାରେ ବୋଲି କହିଛନ୍ତି ଶାହା ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଶାହାଙ୍କ ବ୍ୟତୀତ ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମାଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିନାହିଁ । ସମସ୍ତ ଖେଳାଳୀ ଏବେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ସମସ୍ତଙ୍କୁ ବାଦ୍ ଦିଆଯାଇଛି ।