ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା, ଥାନାରେ ହାଜର ହେଲେ ବ୍ରିଜଭୂଷଣ ସିଂ

391

କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି । ଦିଲ୍ଲୀ ପୋଲିସ ତରଫରୁ ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହ ପୋଲିସ ବ୍ରିଜଭୂଷଣଙ୍କୁ କିଛି ଡକ୍ୟୁମେଣ୍ଟ ମଧ୍ୟ ମାଗିଛନ୍ତି । ପୋଲିସ କହିଛି କି, ଯଦି ଆବଶ୍ୟକ ପଡେ ପୁଣିଥରେ ବ୍ରିଜଭୂଷଣଙ୍କର ବୟାନ ରେକର୍ଡ କରାଯିବ । ସୂତ୍ର ସୂଚନା ମୁତବାକ ବ୍ରିଜଭୂଷଣ ତାଙ୍କ ବୟାନରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ବ୍ରିଜଭୂଷଣ ଦିଲ୍ଲୀ ପୋଲିସର ଏସଆଇଟି ନିକଟରେ ନିଜର ବୟାନ ରେକର୍ଡ କରାଇଛନ୍ତି । ଦିଲ୍ଲୀ ପୋଲିସ ତରଫରୁ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ଯାଂଚ କରିବାକୁ ଡିସିପିଙ୍କ ତତ୍ୱାବଧାନରେ ୧୦ ଜଣିଆ ବିଶେଷ ଯାଂଚ ଟିମ୍ ଗଠନ କରିଛନ୍ତି । ସୂତ୍ର ସୂଚନା ମୁତାବକ ବ୍ରିଜଭୂଷଣଙ୍କର ୨ଥର ବୟାନ ରେକର୍ଡ କରାଯାଇଛି । ଏହାସହ ବ୍ରିଜଭୂଷଣ ନିଜ ତରଫରୁ କିଛି ଭିଡିଓ ଓ ମୋବାଇଲ ଡାଟା ପୋଲିସ ନିକଟରେ ପୈଠ କରିଥିବା କଥା କୁହାଯାଇଛି ।

କେବଳ ବ୍ରିଜଭୂଷଣ ନୁହଁନ୍ତି ତାଙ୍କ ବ୍ୟତୀତ ଏହି ମାମଲାରେ ଭାରତୀୟ କୁସ୍ତିସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ ବିନୋଦ ତୋମରଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ବିନୋଦ ତୋମରଙ୍କର ମଧ୍ୟ ନାମ ରହିଛି ।

ସୂଚନା ଥାଉକି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ୭ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ କର୍ନାଟ ପ୍ଲେସ ଥାନାରେ ବ୍ରିିଜଭୂଷଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି ।

ସେପଟେ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦିଲ୍ଲୀର ଜନ୍ତର-ମନ୍ତର ଠାରେ କୁସ୍ତିଯୋଦ୍ଧାଙ୍କ ଧାରଣା ଜାରି ରହିଛି । ସେମାନେ ଏପ୍ରିଲ ୨୩ ତାରିଖରୁ ଧାରଣାରେ ବସିଛନ୍ତି । କୁସ୍ତିଯୋଦ୍ଧାଙ୍କ କହିବା କଥା ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ।