କନକ ବ୍ୟୁରୋ: ଦିଲ୍ଲୀର ଜନ୍ତର-ମନ୍ତରରେ ରବିବାର ଜୋରଦାର ପ୍ରଦର୍ଶନ ହୋଇଥିଲା । କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କୁ ଗିରଫ ଦାବିରେ ଜନ୍ତର-ମନ୍ତରରୁ ସଂସଦ ଭବନ ଯାଏ ରାଲି ବେଳେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଥିଲା । କୁସ୍ତି ଖେଳାଳୀ ଏବଂ ଦିଲ୍ଲୀ ପୁଲିସ ମଧ୍ୟରେ ହାତାହାତି ସ୍ଥିତି ଦେଖିବାକୁ ମିଳିଥିଲା । ପୁଲିସ କୁସ୍ତି ଖେଳାଳୀ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ନିଜ ହେପାଜତକୁ ନେଇ ଧାରଣାସ୍ଥଳକୁ ଖାଲିକରିଦେଇଛି ।

Advertisment

ପୁଲିସ ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଙ୍କ ସମେତ ତମାମ କୁସ୍ତି ଖେଳାଳୀଙ୍କୁ ନିଜ ହେପାଜତରେ ରଖିଥିଲା । ପୁଲିସ ଧାରଣାସ୍ଥଳରେ ଧାରା ୧୪୪ ଲାଗୁ କରିଛି । ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏଠାକୁ ଆଉଥରେ ପ୍ରଦର୍ଶନକାରୀଙ୍କୁ ଫେରିବାକୁ ଦିଆଯିବ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ସେମାନଙ୍କ ଆଗାମୀ ରଣନୀତି କଣ ହେବ?

ପ୍ରଧାନମନ୍ତ୍ରୀ ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି । ସେପଟେ କୁସ୍ତି ଖେଳାଳୀ ନୂଆ ସଂସଦ ଭବନଆଗରେ ମହିଳା ମହାପଞ୍ଚାୟର ଘୋଷଣା କରିଥିଲେ । ଦିଲ୍ଲୀ ପୁଲିସ ଏଥିପାଇଁ ଅନୁମତି ଦେଇନଥିଲା । ଏହା ପରେ ଜନ୍ତର-ମନ୍ତରରେ ସୁରକ୍ଷାବଳକୁ ନିୟୋଜିତ କରାଯାଇଥିଲା । ଚାରିପଟେ ବ୍ୟାରିକେଡ କରାଯାଇଥିଲା । ରବିବାର କୁସ୍ତି ଖେଳାଳୀ ନୂଆ ସଂସଦ ଭବନରୁ ତିନି କିମି ଦୂରରେ ଥିବା ଜନ୍ତର-ମନ୍ତରୁ ରାଲିରେ ବାହରିଥିଲେ । ପୁଲିସ ସେମାନଙ୍କୁ ରୋକିବା ପାଇଁ ଉଦ୍ୟମ କରିଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ଟ୍ୱିଟ୍ କରି ଲେଖିଛନ୍ତି, ଆମେ ଜନ୍ତର-ମନ୍ତରରେ ଧାରଣା ଜାରିରଖିବା ପାଇଁ ଶପଥ ନେଇଛୁ । ଆମ ଆନ୍ଦୋଳନ ଶେଷ ହୋଇନାହିଁ । ଆମେ ପୁଣି ସତ୍ୟାଗ୍ରହ ଆରମ୍ଭ କରିବୁ । ଏହି ଦେଶରେ ଏକଛତ୍ରବାଦ ଚଳିବ ନାହିଁ ବରଂ ମହିଳା କୁସ୍ତି ଖେଳାଳୀଙ୍କ ସତ୍ୟାଗ୍ରହ ହେବ ।