କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂ ବିବାଦୀୟ ବୟାନ ଦେଇଛନ୍ତି । ତାଙ୍କ ବିରୋଧରେ ମହିଳା କୁସ୍ତିଖେଳାଳୀମାନେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଗିରଫ ଦାବିରେ ପ୍ରଦର୍ଶନ କରୁଥିବା ବେଳେ ବ୍ରିଜଭୂଷଣ ଏବେ ଏହାକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି । ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ବ୍ରିଜଭୂଷଣ କହିଛନ୍ତି କି କଂଗ୍ରେସ ପାର୍ଟି ମୋ ବିରୋଧରେ ଏଭଳି ଷଡଯନ୍ତ୍ର କରିଛି । ଏହାସହ ମହିଳା କୁସ୍ତିଯୋଦ୍ଧାଙ୍କୁ ଲଗାଇ ମୋ ଆତ୍ମସମ୍ମାନର କ୍ଷତି ପହଂଚାଉଛି ।

Advertisment

ଦିଲ୍ଲୀ ପୋଲିସର ସୂତ୍ର ସୂଚନା ମୁତବାକ ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ନେଇ ଦିଲ୍ଲୀ ପୋଲିସ ୨-୩ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବ । ଦିଲ୍ଲୀର କର୍ନାଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ସମେତ ଅନ୍ୟ କିଛି ଲୋକଙ୍କ ବିରୋଧରେ ଜଣେ ନାବାଳିକାଙ୍କ ସମେତ ମୋଟ ୬ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀନଡ ଅଭିଯୋଗ ଆଣିଛନ୍ତି । ଏହି ହାଇପ୍ରୋଫାଇଲ ମାମଲାର ଯାଂଚ ପାଇଁ ଦିଲ୍ଲୀ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଯାଂଚ କରୁଛି ।

ଅଭିଯୋଗକାରୀ କୁସ୍ତିଯୋଦ୍ଧାମାନେ ଗୃହମନ୍ତ୍ରୀ ଅମିତ ଶାହା ଓ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ପରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସିଛି । ପ୍ରମାଣ ସଂଗ୍ରହ କରିବାକୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ହରିଆଣା, ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଝାଡଖଣ୍ଡ ସମେତ ଅନେକ ରାଜ୍ୟକୁ ଯାଇ ୧୨ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି ।

ସେପଟେ କେବଳ ଭାରତ ଭିତରେ ନୁହେଁ ବିଦେଶରେ ମଧ୍ୟ ବ୍ରିଜଭୂଷଣ ସିଂ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ଉପରେ ପୋଲିସ ଯାଂଚ କରୁଛି । ଦିଲ୍ଲୀ ପୋଲିସ ଇଣ୍ଡୋନେସିଆ, ବୁଲଗାରିଆ, ମଙ୍ଗୋଲିଆ, କାଜାକିସ୍ତାନରେ ହୋଇଥିବା ଟୁର୍ନାମେଣ୍ଟ ସମ୍ବନ୍ଧୀୟ ସୂଚନା ଏକାଠି କରୁଛି ।