କନକ ବ୍ୟୁରୋ: ଭାରତରେ ପହଞ୍ଚିବା ପରେ ନିଜକୁ ସମ୍ଭାଳିପାରିନଥିଲେ କୁସ୍ତିଯୋଦ୍ଧା ବିନେଶ ଫୋଗଟ । ଦିଲ୍ଲୀ ଏୟାରପୋର୍ଟରେ ନିଜ ସମର୍ଥକଙ୍କୁ ଦେଖି କାନ୍ଦିପକାଇଥିଲେ ବିନେଶ । ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କ ଜନ୍ମମାଟିରେ ମଧ୍ୟ ତାଙ୍କୁ ବିଶେଷ ସ୍ୱାଗତ କରାଯାଇଛି । ଘିଅରେ ପ୍ରସ୍ତୁତ ଲଡୁ ସହ ବିଭିନ୍ନ ପ୍ରକାର ତେଲଭାଜି ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଭେଟି ଦେବା ସହ ପାଛୋଟି ନେଇଥିଲେ ।

Advertisment

ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରେ ମାତ୍ର ଶହେ ଗ୍ରାମ ଓଜନ ପାଇଁ ଡିସକ୍ୱାଲିଫାଏଡ ହୋଇଥିଲେ ବିନେଶ। ‘କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ ସ୍ପୋର୍ଟ୍ସ’ ବା ‘ସିଏଏସ୍’ ଉପରେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌ଙ୍କ ଶେଷ ଆଶା ଥିଲା ବେଳେ ଦୁଇ ଦିନ ତଳେ ଆବେଦନକୁ ଖାରଜ କରିଦେବାରୁ ଏହା ଆଶା ବି ମଉଳି ଯାଇଛି। ଫଳରେ ସେ ଖାଲି ହାତରେ ଭାରତ ପହଞ୍ଚିଛନ୍ତି।

ଦିଲ୍ଲୀ ଏୟାରପୋର୍ଟରେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ମଧ୍ୟ ବିମାନବନ୍ଦର ଆସି ବିନେଶଙ୍କୁ ଭେଟିବା ସହ ଚିୟରଅପ୍ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିନେଶ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସେ ଖୁବ୍ ଭାଗ୍ୟଶାଳୀ ବୋଲି କହିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ହରିୟାଣାରେ ନିଜ ଗାଁ ବଲାଲି ଅଭିମୁଖେ ବାହାରିଯାଇଛନ୍ତି ବିନେଶ।