କନକ ବ୍ୟୁରୋ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଠାରୁ ଫେରିବା ପରେ ଆଜି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଂଚି ଦଳରେ ଯୋଗ ଦେଇଛନ୍ତି କୁସ୍ତିଯୋଦ୍ଧା ଗ୍ରେଟ ଖଲି । ବିଶେଷ କରି ଖଲି ହିମାଚଳ ପ୍ରଦେଶରେ ରହୁଥିବା ବେଳେ ତାଙ୍କର ପ୍ରକୃତ ନାମ ଦାଲିପ ସିଂ ରାନା । ଆଜି ସେ ବିଜେପିରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ।

Advertisment

ଏହି ଅବସରରେ ଗ୍ରେଟ ଖଲି କହିଛନ୍ତି କି ବିଜେପିରେ ଯୋଗ ଦେବା ପରେ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ସେ କହିଛନ୍ତି କି ବିଶ୍ୱର ଏଭଳି କୌଣସି ଦେଶ ନାହିଁ ଯେଉଁଠି ସେ କୁସ୍ତିଯୁଦ୍ଧ ଖେଳି ନାହାଁନ୍ତି । ଯଦି ମୋର ଟଙ୍କା ରୋଜଗାର କରିବାର ଇଚ୍ଛା ଥାନ୍ତା ତେବେ ମୁଁ ଆମେରିକାରେ ରହିଥାନ୍ତି । ଦେଶ ପ୍ରତି ଭଲ ପାଇବା ଥିବାରୁ ମୁଁ ଭାରତ ଫେରିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି କହିଛନ୍ତି କି ନରେନ୍ଦ୍ର ମୋଦୀଙ୍କ ଭଳି ପ୍ରଧାନମନ୍ତ୍ରୀ କେଉଁ ଦେଶରେ ନାହାଁନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କ ବିଚାରଧାରାରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛି ବୋଲି ଖଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କହିରଖୁ କି ୫ ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଗ୍ରେଟ ଖଲି ବିଜେପିରେ ଯୋଗଦେବା ଦଳ ପାଇଁ ଲାଭଦାୟକ ହେବ । ଗତବର୍ଷ ଗ୍ରେଟ ଖଲି ସମାଜାବଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ସେହି ସମୟରେ ଅଖିଳେଶଙ୍କ ସହ ତାଙ୍କର କଣ ଆଲୋଚନା ହୋଇଥିଲା ତାହା ବାହାରକୁ ବାହାରି ନଥିଲେ ବି ସେ ସମାଜବାଦୀ ପାର୍ଟିରେ ଯୋଗ ଦେଉଥିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଥିଲା ।

୭ ଫୁଟ ୧ ଇଂଚ ଉଚ୍ଚତା ବିଶିଷ୍ଠ ଗ୍ରେଟ ଖଲି ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଖେଳିବା ସହ ସିନେମାରେ ବି ଅଭିନୟ କରିଛନ୍ତି । ସେ ଟିଭି ଶୋ ବିଗ୍ ବସରେ ବି ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ । ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁରେ ଯୋଗ ଦେବା ପୂର୍ବରୁ ସେ ପଞ୍ଜାବ ପୋଲିସର ଏଏସଆଇ ପଦରେ ଥିଲେ ।