କନକ ବ୍ୟୁରୋ: ଆରମ୍ଭ ହୋଇସାରିଛି ଫଟାଫଟ୍ କ୍ରିକେଟର ମଜା । ଭାରତରେ ଆରମ୍ଭ ହୋଇଛି ମହିଳା ପ୍ରିମିୟର ଲିଗ୍ । ଗତକାଲି ଏହାର ଉଦଘାଟନୀ ମ୍ୟାଚ୍ ଥିବାବେଳେ, ଗୁଜରାଟକୁ ପ୍ରଥମ ମ୍ୟାଚରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ୫ଟି ଟିମକୁ ନେଇ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ । ଏହାପରେ ପଏଣ୍ଟ ଟେବୁଲର ଟପରେ ଥିବା ଗୋଟିଏ ଟିମ୍ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍ ଫାଇନାଲ ଖେଳିବାକୁ ଲଢିବେ । ତେବେ ଏହାରି ଭିତରେ ଏହି ମହିଳା ପ୍ରିମିୟର ଲିଗର ଚାମ୍ପିୟନ୍ ଓ ରନର୍ସ ଅପ୍ ଟିମକୁ କେତେ ଟଙ୍କା ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ବିସିସିଆଇ ତରଫରୁ ଚଳିତ ବର୍ଷ ପ୍ରଥମ କରି ଏହି ମହିଳା ପ୍ରିମିୟର ଲିଗ୍ ଆରମ୍ଭ ହୋଇଛି । ଯାହାର ଗତକାଲି ଟ୍ରଫି ମଧ୍ୟ ଉନ୍ମୋଚିତ ହୋଇଛି । ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ଢାଞ୍ଚାରେ ଏହାର ମ୍ୟାଚ୍ ଖେଳାଯାଉଛି । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ୟୁପି ୱାରିୟର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟଓ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଭାଗ ନେଇଛନ୍ତି ।

ସୂଚନା ମୁତାବକ, ମାର୍ଚ୍ଚ ୨୬ ତାରିଖରେ ମହିଳା ପ୍ରିିମିୟର ଲିଗର ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହୋଇ ଚାମ୍ପିୟନ୍ ହେବ ତାକୁ ପୁରସ୍କାର ବାବଦକୁ ୬ କୋଟି ଟଙ୍କା ମିଳିବ । ସେହିପରି ଟୁର୍ଣ୍ଣାମେଣ୍ଟର ରନର୍ସ ଅପ ଦଳକୁ ୩ କୋଟି ଓ ତୃତୀୟ ସ୍ଥାନରେ ଥିବା ଟିମକୁ ୧ କୋଟି ଟଙ୍କା ମିଳିବ ବୋଲି ସୂଚନା ରହିଛି ।

ଜାଣିରଖିବା ଉଚିତ୍ ଯେ, ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର ଭାୟାକମ୍ ୧୮ ନେଇଛି । ଜିଓ ସିନେମାରେ ଏହାର ସିଧାପ୍ରସାରଣ ହେଉଥିବାବେଳେ, ସ୍ପୋର୍ଟସ୍ ୧୮ରେ ମଧ୍ୟ ଲୋକମାନେ ଏହାର ସିଧାପ୍ରସାରଣ ଦେଖିପାରିବେ ।