କନକ ବ୍ୟୁରୋ : ଭାରତରେ ଟିକାର ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧିକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକାର ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ଆନ୍ଥୋନୀ ଫାଉସୀ । ଡକ୍ଟର ଫାଉସୀ କହିଛନ୍ତି ଭାରତର ଏପରି ଟିକା ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ଏକ ସକରାତ୍ମକ ଆଭିମୁଖ୍ୟ । ତେବେ ଭାରତରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।
ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ଯାଏ ବଢ଼ାଇବାକୁ ନାସନାଲ୍ ଟେକ୍ନିକାଲ୍ ଆଡ୍ଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ ସରକାରଙ୍କୁ ପରାମର୍ଶ ଦେଇଛି । ଅପରପକ୍ଷେ, ସରକାର ଏହି ପରାମର୍ଶକୁ ତୁରନ୍ତ କାର୍ଯ୍ୟକାରୀ କରିଦେଇଥିବା ଜଣାଯାଇଛି । ଏହାଦ୍ବାରା ଉକ୍ତ ଟିକା ପାଇଁ ଦୁଇ ମାତ୍ରା ମଧ୍ୟରେ ବ୍ୟବଧାନ ଗତ ୩ ମାସ ଭିତରେ ଦୁଇଥର ବଦଳାଯାଇଥିବା ଜଣାଯାଇଛି । ପୂର୍ବରୁ ମୂଳ ଅବଧି ୨୮ ଦିନ ଥିବାବେଳେ ମାର୍ଚ୍ଚ ମାସରେ ତାହାକୁ ୬ରୁ ୮ ସପ୍ତାହ ଯାଏ ବଢ଼ାଯାଯାଇଥିଲା । ଫଳରେ ସମ୍ପ୍ରତି ଉକ୍ତ ଟିକା ପାଇଁ ଏହି ସମୟ ବ୍ୟବଧାନ ୪ରୁ ୮ ସପ୍ତାହ ରହିଥିଲା ।