ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବିରୋଧୀ କରିବେ ବାସନ୍ଦ । କଂଗ୍ରେସ ଓ ବିଜେପି ସଦସ୍ୟ କହିଲେ, ମନ୍ତ୍ରୀଙ୍କୁ ପୂରାଇ ଦେବୁନି ବିଧାନସଭା ।

103

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପ୍ରତିବାଦକୁ ଆହୁରି ଜୋର କରିବାକୁ ଯାଇ ବିରୋଧୀ କହିଛନ୍ତି, ଆସନ୍ତା ବିଧାନସଭା ଅଧିବେଶନରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୁରାଇ ଦିଆଯିବ ନାହିଁ । ଉଭୟ କଂଗ୍ରେସ ଓ ବିଜେପି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ ବିଜେଡି ଜବାବ ରଖି କହିଛି, ବିଧାନସଭା ଆସିବା ପାଇଁ ସବୁ ସଦସ୍ୟଙ୍କ ଅଧିକାର ରହିଛି ।

ଅଧିବେଶନ ପୂର୍ବରୁ ବିରୋଧୀଙ୍କ ଚେତାବନୀ । ‘ଦିବ୍ୟଶଙ୍କର ଗୃହକୁ ଆସିଲେ କରିବେ ତୀବ୍ର ବିରୋଧ’ । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପାଖାପାଖି ମାସେ କାଳ ସଡକରେ ଆନ୍ଦୋଳନ କରିବା ପରେ, ଆଗାମି ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ଆହୁରି ଶାଣିତ କରିବା ପାଇଁ ରଣହୁଙ୍କାର ଦେଇଛନ୍ତି । ଚେତାବନୀ ଦେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଦିବ୍ୟଶଙ୍କର ଗୃହକୁ ଆସିଲେ ପବିତ୍ର ଗୃହ ଅପବିତ୍ର ହୋଇଯିବ । ତାଙ୍କୁ ଗୃହ ମଧ୍ୟକୁ ପୂରାଇ ନଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିବ ଦଳ । ଯଦି ଦିବ୍ୟଶଙ୍କର ବିଧାନସଭା ଆସିବେ, ତେବେ ଜୋରଦାର ବିରୋଧ କରାଯିବ । ସେହିପରି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି, ଅପବିତ୍ର କରିବାକୁ ଦେବେନି ପବିତ୍ର ଗୃହ ।

ବିରୋଧୀଙ୍କ ଚେତାବନୀ ପରେ ଜବାବ ରଖିଛନ୍ତି ଶାସକ ଦଳ ସଦସ୍ୟ । ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାରେ ପୂରାଇ ଦେବେ ନାହିଁ ଏମିତି ଅଧିକାର କାହାର ନାହିଁ । ବିରୋଧୀ ଯାହା ଅଭିଯୋଗ ଆଣୁଛନ୍ତି ତାକୁ ପ୍ରଥମେ ପ୍ରମାଣ କରନ୍ତୁ । ଯଦି ପ୍ରମାଣ ଅଛି କୋର୍ଟ ଅଫ୍ ଲ’ରେ ଦିଅନ୍ତୁ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଯେଉଁଭଳି ବୟାନବାଜି ଲାଗି ରହିଛି, ତାର ତାତି ଆଗାମି ବିଧାନସଭା ଅଧିବେଶନରେ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।