ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେଲେ, ପାଇଲଟ୍ ହେବେ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ? ପଢନ୍ତୁ, କଣ କହିଲେ ସଚିନ ପାଇଲଟ୍…

204

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଜୋର ଧରିଛି ରାଜନୀତି । ଗୋଟିଏ ପଟେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ନିର୍ବାର୍ଚନ ଲଢିବାକୁ ମନା କରୁଥିବାବେଳେ, ଅନ୍ୟପଟେ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ନିର୍ବାଚନ ଲଢିିବାକୁ ମନେଇବାରେ ଲାଗିଛନ୍ତି । ଏପରି ସ୍ଥିତିରେ କଂଗ୍ରେସ ଆଗାମୀ ଅଧ୍ୟକ୍ଷ କିଏ ହେଉଛି ତାକୁ ନେଇ ଜାରି ରହିଛି ସସପେନ୍ସ । ଏହାରି ଭିତରେ ରାଜସ୍ଥାନ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ଯଦି ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢନ୍ତି, ତେବେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିପାରେ । ଏପରି ସ୍ଥିତିରେ ସଚିନ ପାଇଲଟ ରାଜସ୍ଥାନର ଆଗାମୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସଚିନ ପାଇଲଟ ଏବେ ଭାରତ ଯୋଡ ଯାତ୍ରା ପାଇଁ କେରଳରେ ଅଛନ୍ତି । ସେଠାରେ ଆଜି ସାମ୍ବାଦିକମାନେ ତାଙ୍କୁ କିଛି ପ୍ରଶ୍ନ କରିଥିଲେ । ଯଦି ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ଲଢନ୍ତି, ତେବେ ପାଇଲଟ କଣ ଏହାର ସମର୍ଥନ ଦେବେ ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ । ଏହାର କୌଣସି ମଧ୍ୟ ଜବାବ୍ ସଚିନ ପାଇଲଟ୍ ଦେଇନଥିଲେ ।

ଏହାପରେ ସାମ୍ବାଦିକମାନେ ସଚିନ ପାଇଲଟଙ୍କୁ ପୁଣି ପ୍ରଶ୍ନ କରିଥିଲେ । ଏଥର ପ୍ରଶ୍ନ ଥିଲା, ଯଦି ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ହେବେ, ତେବେ କଣ ପାଇଲଟ୍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ? ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ପାଇଲଟ୍ କହିଥିଲେ, ଏହାର କୌଣସି ଫରକ ପଡୁନି, ଯେ କିଏ ନିର୍ବାଚନ ଲଢୁଛି । ହେଲେ ନିର୍ବାଚନ ପରେ ଏକ ମଝୁବତ୍ କଂଗ୍ରେସ ନିର୍ମାଣ ହେବ ବୋଲି ସେ କହିଥିଲେ । ଆଉ ଅତି ଚତୁରତାର ସହ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନରୁ ନିଜକୁ ଦୂରେଇ ରଖିଥିଲେ ।

ଅସଲ କଥା ହେଉଛି, ଗେହଲଟଙ୍କ ପରେ ରାଜସ୍ଥାନ ରାଜନୀତିରେ ପାଇଲଟଙ୍କ ଭଲ ଦବଦବା ରହିଛି । ଯଦି ଜଣେ ବ୍ୟକ୍ତି, ଗୋଟିଏ ପଦ ନିୟମରେ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଲଢନ୍ତି, ତେବେ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ମିଳିବା ଏକପ୍ରକାର ପକ୍କା ।