କନକ ବ୍ୟୁରୋ : କଂଗ୍ରେସରେ ସାମିଲ ହେବା ଅପେକ୍ଷା କୂଅକୁ ଡେଇଁପଡିବି । କଂଗ୍ରେସକୁ ନେଇ କିଛି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଶୁକ୍ରବାର ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ ସରକାରଙ୍କ ୯ ବର୍ଷର ସଫଳତାର କାହାଣୀ କହିବା ସହ ବିଭିନ୍ନ ଯୋଜନାର ଗୋଟି ଗୋଟି ହିସାବ ଦେଇଥିଲେ । ଏହିକ୍ରମରେ ନିଜ ରାଜନୀତି କ୍ୟାରିୟର ବାବଦରେ ମଧ୍ୟ ମୁହଁ ଖୋଲିଥିଲେ । ବିଜେପିରେ ସାମିଲ ହେବା ଠାରୁ ଆରମ୍ଭ କରି ନିର୍ବାଚନ ଲଢି ମନ୍ତ୍ରୀ ହେବା ପର୍ଯ୍ୟନ୍ତ, ପ୍ରତିଟି ରାଜନୈତିକ ବାବଦରେ କହୁ କହୁ ଦିବଙ୍ଗତ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକରଙ୍କ ଅଫର କଥା ମଧ୍ୟ ମନେ ପକାଇଥିଲେ ।

Advertisment

ଗଡକରୀ କହିଛନ୍ତି, ପୂର୍ବରୁ ଥରେ ମୋତେ ଜିଚକର କହିଥିଲେ, ଆପଣ ଦଳର ଭଲ କାର୍ଯ୍ୟକର୍ତ୍ତା ଏବେ ନେତା ମଧ୍ୟ । ଯଦି ଆପଣ କଂଗ୍ରେସରେ ସାମିଲ ହୁଅନ୍ତି ତେବେ ଆପଣଙ୍କର ଭବିଷ୍ୟତ ପୂରା ଉଜ୍ଜ୍ୱଳ ହେବ । ସେତେବେଳେ ଜିଚକରଙ୍କ ଏହି ଅଫରର ଉତ୍ତର ରଖି ଗଡକରୀ କହିଥିଲେ, ମୁଁ କଂଗ୍ରେସରେ ସାମିଲ ହେବା ଅପେକ୍ଷା କୂଅକୁ ଡେଇଁପଡିବି । ବିଜେପି ଓ ଏହାର ବିଚାରଧାରା ଉପରେ ପୂରା ଭରସା ଅଛି ଏବଂ ବିଜେପି ପାଇଁ କାମ କରି ଚାଲିବି ।

ଏହାସହ ଭାରତକୁ ବିଶ୍ୱସ୍ତରରେ ଆର୍ଥିକ ମହାଶକ୍ତି ଭାବେ ଉଭା କରାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଗଡକରୀ । ଦେଶର ଭବିଷ୍ୟତ ଆଗକୁ ବହୁତ ଉଜ୍ଜ୍ୱଳ । କଂଗ୍ରେସ ନିଜର ୬୦ ବର୍ଷର ଶାସନ କାଳ ମଧ୍ୟରେ ଯାହା କରିପାରିନଥିଲା ତାହା ଠାରୁ ଦୁଇ ଗୁଣା ଅଧିକ କାମ ବିଜେପି ସରକାର ଗତ ୯ ବର୍ଷ ମଧ୍ୟରେ କରିଛି ।