ଗଜପତିରେ ଥିଲେ କି ଗୋରା ସରକାର? ଘଞ୍ଚ ଜଙ୍ଗଲ ଲୁଚି ରହିଛି ୨୦୦ ବର୍ଷ ତଳର ଇତିହାସ ।

988

କନକ ବ୍ୟୁରୋ: ଭାରତକୁ ବାଣିଜ୍ୟ କରିବାକୁ ଆସି ପୁରା ଦେଶକୁ ନିଜ କବଜାକୁ ନେଇ ଯାଇଥିଲା ଗୋରା ସରକାର । ମାଡ୍ରାସ ଠାରେ ଶାସନ କେନ୍ଦ୍ର ସ୍ଥାପନ କରିବା ପରେ ଇଂରେଜମାନେ ଗଜପତିରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଗୋରା ସରକାରଙ୍କୁ ପ୍ରତିରୋଧ କରିଥିଲେ ତତ୍କାଳୀନ ପାରଳା ରାଜା ଜଗନ୍ନାଥ ନାରାୟଣ ଦେବ ଏବଂ ତାଙ୍କ ପରେ ଗଜପତି ନାରାୟଣ ଦେବ । ରାଜାଙ୍କୁ ସମର୍ଥମ କରିବା ସହ ବିଦେଶୀ ଶାସନ ହଟାଇବା ପାଇଁ ଇଂରେଜଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହ କରିଥିଲେ ଗାଇବା-ନୁଆଗଡର ତତ୍କାଳୀନ ଥଟ ରାଜା, ଜମିଦାର, ଲଢୁଆ ପାଇକ, ଆଦିବାସୀ । ଆଉ ଏମାନଙ୍କୁ ସେତେବେଳେ ସେହି ଲଢେଇର ଛାପ ଆଜି ବି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ।

ଭାରତରେ ଇଂରେଜମାନଙ୍କ ନିଷ୍ଠୁର ଶାସନର ଛାପ ଏବେ ବି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପଡିରହିଛି । ଲୋକଙ୍କୁ ମୃତ୍ୟୁଦଣ୍ଡ ଦେଇ କୋକୁଆ ଭୟ ଜାତ କରୁଥିବା ଇଂରେଜ ମାନେ ବ୍ୟବହାର କରୁଥିବା ଗୋଳାବାରୁଦ, ବନ୍ଧୁକ, ତୋପ ଭଳି ମାରଣାସ୍ତ୍ରର ଭଗ୍ନାବଶେଷ ଜଙ୍ଗଲ ଭିତରେ ଦେଖିବାକୁ ମିଳେ । ଜଙ୍ଗଲ ଭିତରେ ସେ ସବୁକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି କେତେ ନିର୍ଯାତନା ଦେଉଥିଲେ ଇଂରେଜ ସରକାର । ଜଙ୍ଗଲ ପାହାଡ କନ୍ଦରେ ଗଢିଉଠିଥିବା ଗାଁଗୁଡିକୁ ଦେଖିଲେ ମନେ ହେଉଛି କେତେ ଭୟରେ ଜୀବନ ବିତାଉଥିଲେ ସେତେବେଳର ସାଧାରଣ ଲୋକେ ।

ଗଜପତି ଜିଲ୍ଲାର ନାରାୟଣପୁର, ଲାଞ୍ଜିପଦର ଓ ତାର ଆଖ ପାଖ ଅଂଚଳରେ ଅସ୍ତ୍ରଗୁଡିକର ଭଗ୍ନାବଶେଷ ଧିରେ ଧିରେ ମାଟିରେ ମିଶି ଗଲାଣି । ଯେଉଁସବୁ ଅଂଶ ରହିଛି ଲୋକେ ତାକୁ ଅନ୍ଧ ବିଶ୍ୱାସରେ ପୂଜା କରୁଥିବା ଦେଖିବାକୁ ମିଳୁଛି । ୧୮୩୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏଗୁଡିକ ସେହିଭଳି ଭାବରେ ପଡି ରହିଛି । ସରକାରଙ୍କ ପ୍ରତ୍ନତତ୍ୱ୍ୱ ବିଭାଗ ପକ୍ଷରୁ ଏଗୁଡିକୁ ଉଦ୍ଧାର କରି ସଂଗ୍ରାହଳୟରେ ରଖାଗଲେ ଅଂଚଳର ଇତିହାସ ତଥା ବୀର ସଂଗ୍ରାମୀଙ୍କ ଜୀବନୀ ସହ ଜଡିତ ଏହି ବସ୍ତୁ ଗୁଡିକ ଆଗାମୀ ପିଢି ପାଇଁ ସ୍ମୃତି ସଦୃଶ୍ୟ ହୋଇ ପାରନ୍ତା । ଗଜପତିର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡେ ପାଇକ ବିଦ୍ରୋହ ପରି ଅନେକ ବିଦ୍ରୋହକୁ ଜନ୍ମ ଦେଇଥିବ ଏହି ଅଂଚଳ ।