ସଂକ୍ରମଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି । ପ୍ରାୟ ସମସ୍ତ ହସ୍ପିଟାଲରେ ଶେଷ ହୋଇଗଲାଣି ଆଇସିୟୁ । ସେପଟେ ଶ୍ମଶାନରେ ଲିଭୁନି ଚିତା ।

266

କନକ ବ୍ୟୁରୋ: ଦିଲ୍ଲୀ ସମେତ କେତେକ ରାଜ୍ୟରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । କେଉଁଠି ହସ୍ପିଟାଲରେ ବେଡ ମିଳୁନି ତ ଆଉ କେଉଁଠି ଅକ୍ସିଜେନ । ପରିସ୍ଥିତି ଏପରି ହୋଇଛି ମେଡିକାଲ ବାହାରେ ଧାଡି ଲଗାଉଛନ୍ତି ବହୁ ସଂଖ୍ୟାରେ ରୋଗୀ । କେହି ଗୁରୁତର ରୋଗୀଙ୍କୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଟିକିଏ ଚିକିତ୍ସା ପାଇଁ ଘୁରି ବୁଲୁଛନ୍ତି । ହେଲେ, ତାହା ସମସ୍ତ ଭାଗ୍ୟରେ ଜୁଟୁନି । କେହି କେହି ସଂଘର୍ଷ ଜାରି ରଖିଥିବାବେଳେ ଆଉ କେହି କେହି ଆଖି ବୁଜି ଦେଉଛନ୍ତି ।

କେବଳ ଏତିକି ନୁହେଁ ଦେଶର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଔଷଧର ଅଭାବର ଚିତ୍ର । ଏଥିପାଇଁ ବିଭିନ୍ନ ଔଷଧ ଦୋକାନରେ ଲମ୍ବା ଲାଇନ୍ ଲଗାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଅନ୍ୟପଟେ କରୋନା ଚିକିତ୍ସାରେ ଶେଷ ମୂହୂର୍ତରେ ଉପଶମ ଦେଉଥିବା ରେମଡେସିଭିରର ଘୋର ଅଭାବ ଦେଖା ଦେଇଛି । ଔଷଧ ଦୋକାନୀମାନେ ସେମାନଙ୍କ ନିକଟରେ ଏହି ଜରୁରୀ ଔଷଧ ଷ୍ଟକ ନଥିବା ଲେଖି ପୋଷ୍ଟର ମାରିଛନ୍ତି ।

ଦିଲ୍ଲୀରେ କରୋନା କେତେ ଭୟଙ୍କର ସ୍ଥିତି ଧାରଣ କରିଛିି । ମଶାଣୀରେ ଧାଡି ଧାଡି ହୋଇ ଜଳୁଛି ଜୁଇ । ଗାଜିପୁର ଏବଂ ସରାଇକାଲେ ଖାନ ସ୍ମଶାନରେ ଚାଲିଛି ଅନ୍ତିମ ସଂସ୍କାର । ଅନ୍ୟପଟେ କରୋନାରେ ମୃତ୍ୟୁ ହୋଇଥିବା ଅନେକ ଶବ ଏବେ ବି ଅନ୍ତିମ ସଂସ୍କାର ଅପେକ୍ଷାରେ ଆମ୍ବୁଲାନ୍ସ ବାହାରେ ରହିଛି । ଜଳୁଥିବା ଜୁଇ ଲିଭିଲେ ଆମ୍ବୁଲାନ୍ସରେ ଥିବା ଶବକୁ ଅନ୍ତିମ ସଂସ୍କାର କରାଯିବ । କାରଣ ଶ୍ମଶାନରେ ସ୍ଥାନ ଅଭାବ ଦେଖାଦେଇଛି । ସେପଟେ ଶ୍ମଶାନରେ ଦେଖାଦେଇଥିବା ସ୍ଥାନ ଅଭାବ ପୂରଣ ପାଇଁ ଅନ୍ତିମ ସଂସ୍କାର ପାଇଁ ନୂଆ ମଣ୍ଡପ ତିଆରି ଚାଲିଛି ।

କେବଳ ଦିଲ୍ଲୀ ନୁହେଁ ଉତରପ୍ରଦେଶର ଅବସ୍ଥା ମଧ୍ୟ ସାଂଘାତିକ । ମହାରାଷ୍ଟ୍ର ପରେ ସବୁଠାରୁ ଅଧିକ ସଂକ୍ରମଣ ଏହି ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଗୁରୁତର ରୋଗୀଙ୍କୁ ଅମ୍ଳଜାନ ଯୋଗାଇବା ତ ଦୂରେ ଥାଉ ବେଡ୍ ଟିଏ ମଧ୍ୟ ମିଳୁନାହିଁ । ଏଭଳି ସମୟରେ ଅକ୍ସିଜେନ ପ୍ଲାଂଟରୁ ସିଲିଣ୍ଡର ଜୋର ଜବରଦସ୍ତ ନେବା ପାଇଁ କିଛି ରୋଗୀ ସମ୍ପର୍କୀୟ ଏକ ପ୍ଲାଂଟ ନିକଟରେ ଜମା ହୋଇଛନ୍ତି । ସବୁଠୁ ବଡ ଚିନ୍ତାର ବିଷୟ ହୋଇଛି ବିଭିନ୍ନ ହସ୍ପିଟାଲର ଚିକିତ୍ସା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେଉଛନ୍ତି । ଯାହାକି ଆଗାମୀ ଦିନରେ ବଡ ସଂକଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଛନ୍ତି ବରିଷ୍ଠ ଚିକିତ୍ସକ ।