ପରଦା ପଛରେ ମା’ଙ୍କ ପୂଜା : ଆଜି ମଣ୍ଡପରେ ଜଗତଜନନୀଙ୍କ ଷଷ୍ଠୀ ପୂଜା, ପରଦା ଆଢ଼ୁଆଳରେ ହେବ ଜଗତଜନନୀଙ୍କ ପୂଜା; କୋଭିଡ୍ ଯୋଗୁଁ ଶ୍ରଦ୍ଧାଳୁ କରିପାରିବେ ନାହିଁ ଦର୍ଶନ

କେତେକ ସ୍ଥାନରେ ଅନ୍ଲାଇନ୍ ପୂଜା ବ୍ୟବସ୍ଥା

137

କନକ ବ୍ୟୁରୋ : ଆଜି ମା ଦୁର୍ଗାଙ୍କ ଷଷ୍ଠୀ ପୂଜା । ହେଲେ ଚଳିତ ବର୍ଷର ପୂଜାକୁ ଦେଖିପାରିବେନି ସାଧାରଣ ଲୋକ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ କଟକ – ଭୁବନେଶ୍ୱରରେ ମାଙ୍କ ମୂର୍ତ୍ତି ଆଗରେ ପଡିବ ପରଦା । ଆଉ ପରଦା ପଛରେ ପୂଜା ପାଇବେ ଜଗତଜନନୀ ମା ଦୁର୍ଗା । ଯାହାକି ଆଗରୁ କେବେ ଦେଖିବାକୁ ମିଳିନଥିଲା । କେତେକ ସ୍ଥାନରେ ଅନ୍ଲାଇନରେ ମାଆଙ୍କ ଦର୍ଶନ ଓ ପୂଜା ପାଇଁ ପୂଜା କମିଟି ବ୍ୟବସ୍ଥା କରୁଛନ୍ତି ।

ରାଜଧାନୀରେ ପାଖାପାଖି ୧୭୦ ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ପୂଜା ମଣ୍ଡପରେ ଗୁରୁବାରଠାରୁ ବିଲ୍ୱବରଣୀ ହେବ। ଶୁକ୍ରବାର ମହାସପ୍ତମୀ ପୂଜା, ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ରହିଛି । ଶନିବାର ମହାଅଷ୍ଟମୀ ଓ ରବିବାର ମହାନବମୀ ପୂଜାର୍ଚ୍ଚନା କରାଯିବ। ୨୬ରେ ବିଜୟା ଦଶମୀ ଓ ଦେବୀପ୍ରତିମା ବିସର୍ଜନ ଏବଂ ୨୭ରେ ନିରାଡ଼ମ୍ବର ଭସାଣି ଯାତ୍ରା ଅନୁଷ୍ଠିତ ହେବ ।

ରାଜଧାନୀରେ ଦୁର୍ଗାପୂଜାରେ ସୁଦୃଶ୍ୟ ତୋରଣ ବ୍ୟତୀତ ମିଳିତ ଭସାଣି ଯାତ୍ରା ଆକର୍ଷଣ ସାଜୁଥିଲା । ମା’ ମିଳିତ ଭସାଣିରେ ଯିବା ବେଳେ ରାଜଧାନୀକୁ ଦୁଲୁକାଉଥିଲେ ପାରମ୍ପରିକ କଳାକାର । ମାତ୍ର କରୋନା ଏଥର ଏହି ଆଡ଼ମ୍ବରରେ ରୋକ୍‌ ଲଗାଇଛି । ପୂଜାରେ କଟକଣା ଲାଗିବା ପରେ କଳାକାରମାନେ ଦିନକର ରୋଜଗାର ହରାଇବା ଯେତିକି ଚିନ୍ତା ଦେଇନାହିଁ, ରାଜଧାନୀରେ ମିଳିତ ଭସାଣି କାର୍ଯ୍ୟକ୍ରମରେ ପ୍ରତିଯୋଗିତା ପୂର୍ବକ ବାଦ୍ୟ ବାଦନକୁ ଏଥର ଉପ‌େଭାଗ କରିବାର ସୁଯୋଗ ନପାଇବା ବେଶି କଷ୍ଟ ଦେବ ବୋଲି କିଛି ପାରମ୍ପରିକ କଳାକାର କହିଛନ୍ତି ।

ବଡ଼ ପୂଜା ମଣ୍ଡପଗୁଡ଼ିକ ଭସାଣି ଶୋଭାଯାତ୍ରାରେ ୨ଶହରୁ ଅଧିକ ପାରମ୍ପରିକ କଳାକାରଙ୍କୁ ସାମିଲ୍‌ କରିଥାନ୍ତି । ଗତବର୍ଷର ହିସାବ ମୁତାବକ କେବଳ ରାଜଧାନୀର ଭସାଣି ଶୋଭାଯାତ୍ରାରେ ୨୦ ହଜାର ପାରମ୍ପରିକ କଳାକାର ସାମିଲ୍‌ ହୋଇଥିଲେ । ବିଶେଷକରି ସମ୍ବଲପୁର, ମୟୂରଭଂଜ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁରର, ବୌଦ୍ଧରୁ ନୃତ୍ୟ ଓ ବାଦ୍ୟଦଳ ଯୋଗ‌ଦେଇ ଦେଖେଣାହାରୀଙ୍କ ପାଇଁ ଆକର୍ଷଣ ସାଜିଥିଲେ । ଏଥର କିନ୍ତୁ ଏମାନଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ ।