ରୋଗ ଭଲ ପାଇଁ ପୂଜାପାଠ । ରାୟଗଡା କଲ୍ୟାଣସିଂହପୁର ବ୍ଲକର ଗ୍ରାମାଞ୍ଚଳରେ ଏବେ ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ, ମିଳିମିଳା ରୋଗୀଙ୍କୁ ଡାକ୍ତରଖାନାକୁ ନନେଇ ଗାଁରେ କରୁଛନ୍ତି ପୂଜାର୍ଚ୍ଚନା ।

273

କନକ ବ୍ୟୁରୋ : ସରକାର ଯେତେ ଡିଜିଟାଲ ଯୁଗ କଥା କହିଲେ ବି ଶିକ୍ଷାଠାରୁ ଦୂରରେ ଥିବା ଲୋକଙ୍କ ମନରୁ ଦୂରେଇ ପାରୁନାହିଁ ଅନ୍ଧ ବିଶ୍ୱାସ । ଆଜି ବି ରୋଗ ଭଲ କରିବା ପାଇଁ ଲୋକେ ଡାକ୍ତରୀ ଚିକିତ୍ସା ଅପେକ୍ଷା ପୂଜା ପାଠକୁ ଭରସା କରୁଛନ୍ତି । ଔଷଧ ଖାଇଲେ ରୋଗ ବଢିବ କହି, ଗାଁ ଦାଣ୍ଡରେ ରୋଗୀଙ୍କୁ ବସାଇ ପୂଜାର୍ଚ୍ଚନା କରୁଛନ୍ତି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଉପାନ୍ତ ଅଂଚଳରୁ ଆସିଛି ସେମିତି ଏକ ଖବର ।

ଯେଉଁଠି ଶିକ୍ଷାର ଆଲୋକ ପହଂଚିବାରେ ସମସ୍ୟା ହୁଏ, ସେଠି କେମିତି ଅନ୍ଧବିଶ୍ୱାସର ଅନ୍ଧାର ଲୋକଙ୍କୁ କବଳିତ କରେ, ତାହା ବୟାନ କରୁଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ରାବୁଗୁଡା ଗାଁରୁ ଆସିଥିବା ଏହି ଘଟଣା । ରୋଗ ଭଲ କରିବାକୁ ଗାଁ ଦାଣ୍ଡରେ ଚାଲିଛି ପୂୂଜାର୍ଚ୍ଚନା । ଡାକ୍ତରୀ ଚିକିତ୍ସା ଉପରୁ ଭରସା ହରାଇଥିବା ଗ୍ରାମବାସୀ ପୂଜାର୍ଚ୍ଚନା କରି ରୋଗ ଭଲ କରିବାକୁ ଉଦ୍ୟମ କରୁଛନ୍ତି । ଆଉ ଏମାନଙ୍କ ମନରେ ଅନ୍ଧ ବିଶ୍ୱାସ ରହିଛି ଡାକ୍ତରଠାରୁ ଔଷଧ ଖାଇଲେ ରୋଗ ବଢୁଛି, ଠାକୁରାଣୀଙ୍କୁ ଝୁଣା ଧୂପ ଦେଇ ପୂଜା କଲେ ରୋଗରୁ ଉପସମ ମିଳୁଛି ।

ଗାଁରେ ମାସକ ମଧ୍ୟରେ ୩୦ରୁ ଅଧିକ ଲୋକ ମିଳିମିଳା ଆକ୍ରାନ୍ତ ହୋଇଛନ୍ତି । ରୋଗୀଙ୍କୁ ଡାକ୍ତରଖାନାକୁ ନେବା ବଦଳରେ ଗାଁ ମଝିରେ ବସାଇ ବେଜୁଣୀ ସାହାଯ୍ୟରେ ପୂଜା କରାଯାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ଦନାରେ ଚାଉଳ, ଗୁଡ, ହଳଦୀ ଖଣ୍ଡ ରଖି ପୂଜା କରାଯାଉଛି । ସେପଟେ ଏ ସଂପର୍କରେ କଲ୍ୟାଣସିହଂପୁର ଗୋଷ୍ଠୀ ଚିକିତ୍ସାଧିକାରୀ କହିଛନ୍ତି, ଏଯାଏଁ କୌଣସି ରୋଗୀ ଡାକ୍ତରଖାନାକୁ ଆସି ନାହାନ୍ତି ।

ଆଜିର ବିଜ୍ଞାନ ଯୁଗରେ ଲୋକେ ମହାକାଶରେ ଘର କରିବାକୁ ଜାଗା କିଣିଲେଣି, ବିଭିନ୍ନ ରୋଗର ନିରାକରଣ ପାଇଁ ଟିକା ବାହାରିଲାଣି, ତଥାପି ଆଦିବାସୀ ଗାଁରେ ରୋଗ ଭଲ କରିବା ପାଇଁ ପୂଜା ପାଠକୁ ଭରସା କରୁଛନ୍ତି ନିରିହ ଆଦିବାସୀ ।