କନକ ବ୍ୟୁରୋ: ଭୟଙ୍କର ହେଲାଣି ଡିପଥେରିଆ । ରାୟଗଡାର କାଶୀପୁର ଅଂଚଳରେ ବର୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କୋରାପୁଟ ଓ କଳାହାଣ୍ଡିରେ ବି ଏହି ରୋଗ ମାଡିଗଲାଣି । ପରିସ୍ଥିତିକୁ ଦୃଷ୍ଟିକୁ ରଖି କାଶୀପୁରର କିଛି ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । କାଶୀପୁରରେ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଲା, ଡିପଥେରିଆ ସଂକ୍ରମଣର କାରଣ କଣ ତାହା ଜଣାପଡୁନାହିଁ ।

Advertisment

କୋରାପୁଟ, କଳହାଣ୍ଡି ଓ ରାୟଗଡା କାଶୀପୁରରେ ଡିପଥେରିଆ ରୋଗ ଭୟାନକ ହେଲାଣି । କାଶୀପୁରର ମୁନୁଷପଦର ସହ ପ୍ରାୟ ୮୦ଟି ଗାଁରେ ସ୍ଥିତିକୁ ଦେଖି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ବୁଷ୍ଟର ଡୋଜ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ରୋଗ କାଶୀପୁର ଅଂଚଳରେ ଏ ଭଳି ଭୟାନକ ସ୍ଥିତି ଧାରଣ କରିଛି ଯେ, ମନୂୁଷପଦର ଗାଁକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିଶୁ । ତେଣୁ ରୋଗ ନ ବ୍ୟାପିବା ପାଇଁ ବାକି ୬ଟି ଗାଁକୁ ମଧ୍ୟ ଖୁବଶୀଘ୍ର କଂଟେନମେଂଟ ଜୋନ ଘୋଷଣା କରାଯିବ ।

-ବର୍ତ୍ତମାନ ସୁଦ୍ଧା କାଶୀପୁରରେ ୧୫ ରୋଗୀ ଚିହ୍ନଟ
-୫ ମୃତ, ୧୦ ରୋଗୀଙ୍କ ଚାଲିଛି ଚିକିତ୍ସା
-ମନୁଷପଦର ସହ କାଶୀପୁରର ବିଭିନ୍ନ ଗାଁରେ ଦିଆଯିବ ବୁଷ୍ଟର ଡୋଜ
-୧ ବର୍ଷର ଶିଶୁଙ୍କୁ ପେଣ୍ଟା ଡୋଜ
-୧ରୁ ୭ବର୍ଷର ଶିଶୁଙ୍କୁ ଡିପିଟି ଜୋଡ
-୭ରୁ ୧୫ ବର୍ଷର ଶିଶୁଙ୍କୁ ଟିଡି ଡୋଜ ଦିଆଯିବ

ବୁଷ୍ଟର ଡୋଜ ଦେବା କାର୍ଯ୍ୟକ୍ରମ ୧୫ ଦିନରେ ଶେଷ ହେବ । ଏଥିପାଇଁ ୫ରୁ ୬ଟି ଟିମ୍ ଗଠନ କରାଯାଇଛି । ଆକ୍ରାନ୍ତ ହୋଇଥିବା ଶିଶୁଙ୍କୁ ଆଂଟି ଟୋକ୍ସିନ ଡୋଜ ଦିଆଯାଉଛି । ଅନ୍ୟ ବର୍ଗର ଲୋକଙ୍କୁ ବି ବୁଷ୍ଟର ଡୋଜ ଦିଆଯାଉଛି ।

ଡିପଥେରିଆ ସଂକ୍ରମଣର ଚାଲିଛି କାରଣ ଖୋଜା
ଟୀକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ?
ଡିପଥେରିଆ ସଂକ୍ରମଣ ପଛର କାରଣ କଣ ତାହା ଏ ଯାଏଁ ଜଣାପଡିନାହିଁ । ଏଥିପାଇଁ ରୋଗୀଙ୍କ ଆଂଟିବଡି ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସ ହେବ ।
-ଆଂଟିବଡି ପରୀକ୍ଷା ପାଇଁ ରୋଗୀଙ୍କ ନମୁନା ପଠାଯାଇଛି
-ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସ କିମ୍ବା ଆଇସିଏମଆରକୁ ନମୁନା ପଠାଯିବ
-ପ୍ରଭାବିତ ଅଂଚଳର ଲୋକେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

କେବଳ କାଶୀପୁର ନୁହଁ ଅନ୍ୟ ଅଂଚଳରୁ ବି ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଭବାନୀପାଟଣାରେ ୫ ରୋଗୀ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି । ଡିପଥେରିଆରେ ଆକ୍ରାନ୍ତ ରୋଗୀ ଥଣ୍ଡା ଜ୍ୱରରେ ପୀଡିତ ହେଉଛନ୍ତି । ସଂକ୍ରମିତ ଜିଲ୍ଲାର ଆଖପାଖ ଜିଲ୍ଲାରେ ମଧ୍ୟ ଥଣ୍ଡା ଜ୍ୱର ନେଇ ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟ ବନ୍ଧୁଗାଁର ଜଣେ ରୋଗୀ ଏମକେସିଜି ମେଡିକାଲରେ ଭେଂଟିଲେଟରରେ ଅଛନ୍ତି ।