କନକ ବ୍ୟୁରୋ: ଫେବ୍ରୁଆରୀରୁ ଡରାଇଲାଣି ଖରା । ମାଘ ସରିନାହିଁ କିନ୍ତୁ ତାତି ଅସମ୍ଭାଳ ହେଲାଣି । ଏବେ ତାପମାତ୍ରା ଯେତିକି ରହିବା କଥା, ତାଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି । ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜଧାନୀରେ ଦିନର ତାପମାତ୍ରା ୩୬ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ରାଜ୍ୟର ଅନ୍ୟ ୧୫ଟି ସହରରେ ପାରଦ ୩୫ ଡିଗ୍ରୀ ଉପରେ ରହିଛି । ତାପମାତ୍ରା ବୃଦ୍ଧିକୁ ଦେଖି ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ ।

Advertisment

ସରିନାହିଁ ଫେବ୍ରୁଆରୀ, ହେଲେ ଅସହ୍ୟ ହେଲାଣି ତାତି । ରାଜ୍ୟରେ ଅଚାନକ ଶୀତ ଗାଏବ ହେବା ସହ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଯାଇଛି । ଗୁରୁଚାପ ବଳୟ ଯୋଗୁଁ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହ ନିର୍ମଳ ଆକାଶ ଯୋଗୁଁ ତାପମାତ୍ରା ବଢୁଛି ବୋଲି ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।

ମଙ୍ଗଳବାର ଦିନ ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିଲା । ହେଲେ ଆସନ୍ତାକାଲି ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏପରି ସ୍ଥିତି ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଫଳରେ ଦିନର ତାପମାତ୍ରା ହ୍ରାସ ପାଇବ । କିନ୍ତୁ ରାତି ତାପମାତ୍ରାରେ ବିଶେଷ ପରିବର୍ତନ ହେବନାହିଁ । ତେବେ ୨୬ ତାରିଖ ପରେ ପୁଣି ତାତି ବଢ଼ିବା ଆଶଙ୍କା ରହିଛି । ଏପଟେ ରାଜ୍ୟରେ ବଢୁଥିବା ତାପମାତ୍ରାକୁ ଦେଖି ସତର୍କ କରିଛି ଜନସ୍ୱାସ୍ଥ୍ୟ ବିଭାଗ ।

ଅଂଶୁଘାତ ଚିକିତ୍ସା ପାଇଁ ମେଡିକାଲ ପ୍ରସ୍ତୁତ ରଖିବା
ହସ୍ପିଟାଲରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରିବା
ଆବଶ୍ୟକ ଔଷଧ ମହଜୁଦ ରଖିବା
ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅଂଶୁଘାତ ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ବରିଷ୍ଠ ନାଗରିକ
ମଦ୍ୟପାନ କରୁଥିବା ବ୍ୟକ୍ତି
ଏକାଧିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅଂଶୁଘାତ ହେବା ଆଶଙ୍କା ଅଧିକ ରହିଥିବାରୁ
ସେମାନଙ୍କୁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ର୍ୟ ନିର୍ଦ୍ଦେଶକ ।

ଅଧିକ ଗୁଳୁଗୁଳି ହେଉଥିବାରୁ ଘରୁ ବାହାରକୁ ଯିବା ସମୟରେ ପାଣି ଓ ଛତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି କଳାପୋଷାକ ପିନ୍ଧିବାକୁ ବାରଣ କରାଯାଇଛି ।