କନକ ବ୍ୟୁରୋ: ଦେଶରେ ପୁଣି ଥରେ ଭୟ ବଢାଉଛି କରୋନା ଭାଇରସର ଦ୍ରୁତ ସଂକ୍ରମଣ । ୧୦ ମାସ ପରେ ଦୈନିକ ସଂକ୍ରମଣ ୧୧ ହଜାର ଅତିକ୍ରମ କରିଥିବା ବେଳେ ସକ୍ରିୟ ସଂଖ୍ୟା ଏବେ ୫୦ ହଜାର ମୁହାଁ ହୋଇଛି । ସପ୍ତାହକ ପୂର୍ବରୁ ଦୈନିକ ସଂକ୍ରମଣ ୪ ରୁ ୫ ହଜାର ଆସୁଥିବା ବେଳେ ଗୁରୁବାର ଏହାର ହଠାତ୍ ବୃଦ୍ଧି ପାଇ ୧୦ ହଜାର ଅତିକ୍ରମ କରିଥିଲା । ଶୁକ୍ରବାର ୧୧ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ମୁତାବିକ ଗତ ୨୪ ଘଂଟାରେ ଦେଶରେ ୧୧ ହଜାର  ୧୦୯ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଦିନକରେ ୨୯ ଜଣଙ୍କ ପ୍ରାଣ ନେଇଛି କରୋନା ମହାମାରୀ ।

Advertisment

 କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଅନୁମାନ ଲଗାଯାଉଛି କି ଗୋଟିଏ ଦିନରେ ଅର୍ଥାତ୍ ୧୩ ଏପ୍ରିଲରେ ଚିହ୍ନଟ ହୋଇଥିବା ସଂଖ୍ୟାରେ ୧ ହଜାର ନୂଆ ସଂକ୍ରମିତ ଯୋଡି ହୋଇଯାଇଛନ୍ତି । ୧୩ ଏପ୍ରିଲରେ ଦେଶରେ ଦିନକରେ ୧୦ହଜାର ୧୫୮ ସଂକ୍ରମିତ ଚିହ୍ନଟ ହୋଇଥିଲା । ଏବେ ଦେଶରେ ସଂକ୍ରମଣ ହାର ୫.୦୧ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୪.୨ ପ୍ରତିଶତରେ ପହଞ୍ଚିଛି ।

ତେବେ ନଜର ପକାନ୍ତୁ ଶେଷ ୬ଦିନର କରୋନା ଗ୍ରାଫ ଉପରେ-

୯ ଏପ୍ରିଲ- ୫,୩୫୭ ସଂକ୍ରମିତ

୧୦ ଏପ୍ରିଲ- ୫, ୮୮୦ ସଂକ୍ରମିତ

୧୧ ଏପ୍ରିଲ- ୫,୬୭୬ ସଂକ୍ରମିତ

୧୨ ଏପ୍ରିଲ- ୭,୮୩୦ ସଂକ୍ରମିତ

୧୩ ଏପ୍ରିଲ- ୧୦, ୧୫୮ ସଂକ୍ରମିତ

୧୪ ଏପ୍ରିଲ- ୧୧,୧୦୯ ସଂକ୍ରମିତ

 ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମତେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିଚାଲିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି  ଦିଲ୍ଲୀ ଏମ୍ସ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଉତ୍ତରପ୍ରଦେଶର ସ୍କୁଲ ଓ କଲେଜରେ ବି ମାସ୍କ ପିନ୍ଧିବା କଟକଣା ଜାରି କରାଯାଇଛି । ସେପଟେ ସଂକ୍ରମଣ ବୃଦ୍ଧି ଭିତରେ କିନ୍ତୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ କହିବା ମୁତାବିକ, ଆଗାମୀ ୧୦ରୁ ୧୨ ଦିନ ସଂକ୍ରମଣ ହାର ଏଭଳି ବୃଦ୍ଧି ପାଇବ ଓ  ପରେ ଧିରେ ଧିରେ କମିବ । ଦେଶରେ ହଠାତ୍ କୋଭିଡ ମାମଲା ବୃଦ୍ଧିର କାରଣ ହେଉଛି ଏକ୍ସବିବି ଡଟ୍ ୱାନ୍ ଡଟ୍ ୱାନ ସିକ୍ସ, ଯାହା ଓମିକ୍ରନର ସବ ଭ୍ୟାରିଂୟାଟ ଅଟେ । ଏହା କୌଣସି ନୂଆ ଲହର ନୁହେଁ କେବଳ ଏଣ୍ଡେମିକ ସାଇକେଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।