ବାଲେଶ୍ୱର ସୋର ଧାନ ବିଲରେ ଚକଡା ଚଡକ: ବାତ୍ୟା-ବନ୍ୟାରୁ ବର୍ତିଥିବା ଧାନ ଗଛରେ ଲାଗିଛି ପୋକ

Advertisment
ବାଲେଶ୍ୱର ସୋର ଧାନ ବିଲରେ ଚକଡା ଚଡକ: ବାତ୍ୟା-ବନ୍ୟାରୁ ବର୍ତିଥିବା ଧାନ ଗଛରେ ଲାଗିଛି ପୋକ

କନକ ବ୍ୟୁରୋ: ଧାନ, ପାନ, ମିନର ସହର ବାଲେଶ୍ୱର ଜିଲ୍ଲା । ଏହି ଜିଲ୍ଲା ଉପରେ ଦାଉ ସାଜୁଛି ପ୍ରାକୃତିକ ବିପର୍ୟ୍ୟୟ । କେତେବେଳେ ବାତ୍ୟା ତ କେତେବେଳେ ବନ୍ୟା, ଚାଷୀଙ୍କ ଅର୍ଥୀକ ମରୁଦଣ୍ଡକୁ ଦୋହଲାଇ ଦେଇଛି । ଚଳିତ ବର୍ଷ ଚାଷ ଆରମ୍ଭରୁ ଚାଷୀଙ୍କୁ ପ୍ରଥମେ ବାତ୍ୟା ୟାସ ବାଧା ଦେଇଥିଲା । ପରେ ଲଘୁଚାପ ଲଗାଣ ବର୍ଷା ଯୋଗୁଁ ବନ୍ୟା ନାକେଦମ କରିଥିଲା । ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଯାହା ଯେତିକି ଧାନ ବଂଚିଥିଲା ସେଥିରେ ଏବେ ଚକଡା ପୋକ ଲାଗିଛନ୍ତି । ଧାନ କେଣ୍ଡା ବାହାରିବା ବେଳକୁ ପୋକ ଲାଗିବାରୁ ଫସଲ ଉଜୁଡି ଯିବାକୁ ବସିଛି ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ୨୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ବନ୍ୟାରେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା। ବାତ୍ୟା-ବନ୍ୟାରୁ ବଂଚିଥିବା ଧାନ ଗଛକୁ ଏବେ ଖାଇ ଯାଉଛି ଚକଡା ପୋକ। ମଧୁସୂଦନ ପଂଚାୟତର ରଘୁନାଥପୁର, ଆଗିରିଆ, ବଇଚବାକ, ଗୁହାଳଡିହ, ନଦୀଗ, ବାଇନଣ୍ଡା, ବାସୁଦେଇ, ବଳଦିଆ ଆଦି ଗ୍ରାମର ଧାନ ବିଲରେ ଚକଡା ଚଡକ ପଡିଛି । ଥୋଡ ବାହାରିବା ବେଳେ ପୋକ ଲାଗିବାରୁ ଗଛ ନାଲି ପଡିଗଲାଣି। ପତ୍ର ସୁଖି ଯାଉଛି । କେଣ୍ଡା ଆହାର ନପାଇ ନଷ୍ଟ ହେବାକୁ ବସିଲାଣି। ଚାଷକୁ ରୋଗମୁକ୍ତ କରିବା ପାଇଁ ଯେତେ ପ୍ରକାର ସାର-ଔଷଧ ପ୍ରୟୋଗ କଲେ ବି କିଛି ଲାଭ ହେଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି।

ଧାନକୁ ଲାଭ ଜନକ ଫସଲ ଭାବେ ଚାଷ କରି ସୋର ଅଂଚଳର ଚାଷୀ ବର୍ଷକ ପାଇଁ ଖାଦ୍ୟ ରଖିବା ସହ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ଚଳିତ ବର୍ଷର ଧାନ ଚାଷ ସମ୍ପୁର୍ଣ୍ଣ ଉଜୁଡି ଯିବାର ଆଶଙ୍କା କରିଛନ୍ତି। ଜିଲ୍ଲା କୃଷି ବିଭାଗ ପକ୍ଷରୁ ତୁରନ୍ତ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବାରୁ ଚାଷୀ ଦାବି କରିଛନ୍ତି । ସେପଟେ ସୋର କୃଷି ଅଧିକାରୀ କହିଛନ୍ତି ଚାଷୀ ସଠିକ୍ ଔଷଧ ବ୍ୟବହାର କରୁନଥିବାରୁ କ୍ଷେତରେ ପୋକ ଲାଗୁଛି ।

ଧାନ ଚାଷରୁ ଦୁଇ ପଇସା ରୋଜଗାର ହୋଇଥିଲେ ଚାଷୀଙ୍କ ପିଲାଙ୍କ ଭଲବନ୍ଦ ବୁଝିବା ସହ ଋଣ ସୁଝିଥାନ୍ତେ, ହେଲେ ପ୍ରାକୃତିକ ବିପର୍ଯ୍ୟୟ ଓ ରୋଗପୋକ ଚାଷୀଙ୍କ ସେଇ ଆଶାକୁ ଧୂଳିସାତ କରି ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe