କନକ ବ୍ୟୁରୋ: ଅଙ୍ଗନବାଡି କେନ୍ଦ୍ରରେ କୁନି କୁନି ପିଲାଙ୍କୁ ଏପରି ଦିଆଯାଉଛି ଶିଶୁ ଖାଦ୍ୟ । ଦିଆଯାଉଥିବା ଛତୁଆରେ ବୁଲୁଛନ୍ତି ପୋକ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଏପରି ଖାଦ୍ୟ ସାମଗ୍ରୀ ଦେଖିବା ପରେ ଗ୍ରହଣ କଲେନି ପିଲାଙ୍କ ଅଭିଭାବକ । ଅଭିଯୋଗ ହେଉଛି ଅଧିକାରୀ ଓ ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଏପରି ନିମ୍ନ ମାନର ଶିଶୁ ଖାଦ୍ୟ ଆସୁଛି । ରାଜ୍ୟ ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଅଙ୍ଗନବାଡି ଜରିଆରେ ଅଣ୍ଡା ଓ ଛତୁଆ ଖାଦ୍ୟ ବଂଟନ ବ୍ୟବସ୍ଥା କରିଛନ୍ତି ।

Advertisment

ସ୍ୱାଭିମାନ ଅଂଚଳର ରାଲେଗୋଡା, ଧୂଳିପୁଟ ପଂଚାୟତରେ ସମସ୍ତ ଅଙ୍ଗନବାଡିକୁ ଆସିଥିବା ଶିଶୁ ଖାଦ୍ୟରେ କିନ୍ତୁ ଦେଖିବାକୁ ମିଳିଛି ପୋକ । ସେପଟେ ଏପରି ପୋକ ସାଲୁବାଲୁ ଛତୁଆ ଦେଖିବା ପରେ ଅଭିଭାବକ ଏହାକୁ ଗ୍ରହଣ କରିବାକୁ ନାରାଜ । ଚିତ୍ରକୋଣ୍ଡାରେ ରହିଛି ୧୮ଟି ପଂଚାୟତ । ସବୁଠାରେ ଏପରି ସ୍ଥିତି ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି । ଉପାନ୍ତ ଅଂଚଳରେ ଶିଶୁଖାଦ୍ୟରେ ଏପରି ମାନ ଅଭିଯୋଗ ଆସିବା ପରେ କ୍ୟାମେରା ଆଗରେ କିଛି କହିବାକୁ ରାଜି ହୋଇନାହାନ୍ତି ସିଡିପିଓ ।