ପ୍ରତିମୂର୍ତ୍ତି ଓ ଷ୍ଟାଡିୟମ ପରେ ଗୁଜରାଟରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଉଚ୍ଚ ମନ୍ଦିର । ଜାଣନ୍ତୁ କେତେ ଟଙ୍କା ହେବ ଖର୍ଚ୍ଚ ଓ କିଏ ପାଇବେ ପୂଜା?

2,404

ବିଶ୍ୱ ରେକର୍ଡ ବୁକରେ ପୁଣିଥରେ ଯୋଡି ହେବ ଗୁଜୁରାଟ ନାଁ । ବିଶ୍ୱର ବଡ ପ୍ରତିମା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍ ୟୁନିଟ ପରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ ମୋଟରା ଷ୍ଟାଡିୟମ ନିର୍ମାଣ କରି ଗୁଜୁରାଟ ସମସ୍ତଙ୍କୁ ଚକିତ କରିଛି । ଆଉ ଏବେ ଗୁଜୁରାଟରେ ବିଶ୍ୱର ସବୁଠୁ ଉଚ୍ଚ ମନ୍ଦିର ନିର୍ମାଣ ହେବାକୁ ଯାଉଛି ।

ଗୁଜୁରାଟରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ୧୦୦ ବିଘା ଜମିରେ ପରିବ୍ୟାପ୍ତ ରହିବ । ଏହାର ଉଚ୍ଚତା ୧୩୧ ମିଟର ଅଥାର୍ତ ୪୩୧ ଫୁଟ ରହିବ । ପଟିଦାର ସମ୍ପ୍ରଦାୟର କୂଳଦେବୀ ଉମିଆ ମାତା ଏହି ମନ୍ଦିରରେ ପୂଜା ପାଇବେ । ମନ୍ଦିରର ଶିଳାନ୍ୟାସ ସମୟରେ ପାଖାପାଖି ୨ ଲକ୍ଷ ଭକ୍ତ ଏକାଠି ହେବେ ।
ଜର୍ମାନୀ ଓ ଭାରତୀୟ ଆର୍କିଟେଚର ମିଳିତ ଭାବେ ଏହି ମନ୍ଦିରର ଡିଜାଇନ କରିଛନ୍ତି । ମନ୍ଦିରର ଗର୍ଭଗୃହକୁ ସମ୍ପୂର୍ଣ୍ଣ ଭାବେ ଭାରତୀୟ ସଂସ୍କୃତି ହିସାବରେ ନିର୍ମାଣ କରାଯିବ । ଏହି ଗର୍ଭଗୃହରେ ମା ଉମିଆଙ୍କର ୫୨ ଫୁଟର ମୂର୍ତ୍ତି ସ୍ଥାପନ କରାଯିବ । କେବଳ ଦେବୀ ଉମିଆଙ୍କ ମୂର୍ତ୍ତି ନୁହେଁ ବରଂ ମନ୍ଦିର ଭିତରେ ଶିବଲିଙ୍ଗ ମଧ୍ୟ ସ୍ଥାପନ କରାଯିବ । ଏହାବାଦ ମନ୍ଦିରର ଭିତର ପାଶ୍ୱର୍ରେ ୮୨ ମିଟର ଉଚ୍ଚର ଏକ ଗ୍ୟାଲେରୀ ନିର୍ମାଣ କରାଯିବ । ଯେଉଁଠି ଅହମ୍ମଦାବାଦ ସହରର ପୂରା ଦୃଶ୍ୟ ଦେଖିପାରିବେ ଭକ୍ତ ।

ଏହି ମନ୍ଦିର ନିର୍ମାଣରେ ପାଖାପାଖି ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ୨୦୨୫ ସୁଦ୍ଧା ଏହି ଉଚ୍ଚତମ ମନ୍ଦିର ନିର୍ମାଣର କାର୍ଯ୍ୟ ଶେଷ ହେବ । ଏହି ମନ୍ଦିର ପରିସରରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯିବ । ମନ୍ଦିରର ଶିଳାନ୍ୟାସ ଉତ୍ସବରେ ଦେଶର ବିଶିଷ୍ଟ ସାଧୁସନ୍ଥ ଉପସ୍ଥିତ ରହିବେ ।

ଏହି ଉଚ୍ଚତମ ମନ୍ଦିର ନିର୍ମାଣ ପୂର୍ବରୁ ମୋଟେରାରେ ବିଶ୍ୱର ବଡ ଷ୍ଟାଡିୟମ ନିର୍ମାଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଗୁଜୁରାଟ । ଯେଉଁଠାରେ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୬୩ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଇଥିବା ବେଳେ ଏକ ଲକ୍ଷ ୧୦ ହଜାର ଦର୍ଶକ ଏହି ଷ୍ଟାଡିୟମରେ ବସିପାରିବେ । ଏହି ଷ୍ଟାଡିୟମ ନିର୍ମାଣରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସେହିଭଳି ଷ୍ଟାଡିୟମ ନିର୍ମାଣ ପୂର୍ବରୁ ଗୁଜୁରାଟରେ ବିଶ୍ୱର ବଡ ପ୍ରତିମୂର୍ତ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି । ୧୮୨ ମିଟରର ଏହି ଷ୍ଟାଚ୍ୟୁ ନିର୍ମାଣରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ନିର୍ମାଣ କରିବାକୁ ୪୪ ମାସରୁ ଅଧିକ ସମୟ ଲାଗିଥିଲା ।