କନକ ବ୍ୟୁରୋ : ବଦଳୁଥିବା ଦୁନିଆ ସହିତ ଲୋକଙ୍କ ଜୀବନଶୈଳିବି ବଦଳିବାରେ ଲାଗିଛି । ଲୋକଙ୍କ ଖାଦ୍ୟ ପେୟ ବି ବଦଳିବାରେ ଲାଗିଛି । ଯଦି ଦେଖାଯାଏ ତାହେଲେ ବର୍ତ୍ତମାନ ସମୟରେ ଲୋକେ ଭେଜ୍ ଅପେକ୍ଷା ନନଭେଜ୍ ଖାଇବାକୁ ଅଧିତ ପସନ୍ଦ କରନ୍ତି । କିନ୍ତୁ ଆମ ଦେଶରେ ଏପରି ଏକ ସହର ଅଛି, ଯେଉଁଠି ମାଂସାହାରୀ ଖାଦ୍ୟରୁ ସମ୍ପୁର୍ଣ୍ଣ ବ୍ୟାନ୍ କରାଯାଇଛି ।

ଗୁଜୁରାଟର ପାଲିତାନା ନାମକ ସହର ଏବେ ଇତିହାସ ରଚିଛି । ପାଲିତାନା ବିଶ୍ୱର ପ୍ରଥମ ଏପରି ସହର, ଯେଉଁଠି ମାଂସାହାରୀ ଖାଦ୍ୟ ବା ନନଭେଜ ବିକ୍ରି ଏବଂ ଖାଇବାରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ଜୈନ ସାଧୁଙ୍କର ଲଗାତାର ବିରୋଧ ହୋଇଚାଲିଛି । ୨୦୧୪ରେ ପ୍ରାୟ ୨୦୦ ଜୈନ ସାଧୁମାନେ ୨୫୦ରୁ ଅଧିର କଂସେଇ ଖାନାକୁ ବନ୍ଦ କରିବା ପାଇଁ ଦାବି କରିଥିଲେ । ଆଉ ସରକାର ଜୈନ ସାଧୁଙ୍କ ଭାବନାକୁ ସମ୍ମାନ ଦେଇ ୨୫୦ଟି କଂସେଇ ଖାନାକୁ ବନ୍ଦ କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ସହରରେ ଆମିଶ ଖାଦ୍ୟ ବିକ୍ରି ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଯାଇଛି । ଯେଉଁମାନେ ଏହି ନିୟମର ଉଲଂଘନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିଛି ।

ପାଲିତାନା ସହର ମୁଖ୍ୟତଃ ଏକ ଜୈନ ତୀର୍ଥସ୍ଥାନ ଭାବରେ ଜଣାଶୁଣା । ଏଠାରେ ଆମିଶ ବ୍ୟାନ୍ ନିଷ୍ପତ୍ତି ଏହାର ପବିତ୍ରତା ବଜାୟ ରଖିବାରେ ସହାୟକ ହେବ । ଏହା ବ୍ୟତୀତ ସହରରେ ଅନେକ ଶାକାହାରୀ ରେଷ୍ଟୁରାଣ୍ଟ ଖୋଲିଛି । ଯାହା ସ୍ୱାଦିଷ୍ଟ ଏବଂ ବିଭିନ୍ନ ପ୍ରକାରର ଶାକାହାରୀ ଖାଦ୍ୟ ପରିବେଷଣ କରିଥାଏ ।

ତେବେ ଏହି ନିଷ୍ପତ୍ତିର ସମାଲୋଚକ ବି ଅଛନ୍ତି । କେତେକ ଲୋକ ବିଶ୍ୱାସ କରନ୍ତି ଯେ ଏହା ଖାଇବା ପିଇବା ଏବଂ ଜୀବନ ଶୈଳିର ସ୍ୱାଧୀନତା ପାଇଁ ଏକ ହସ୍ତକ୍ଷେପ । ଏଥିସହିତ କେହି କେହି କୁହନ୍ତି, ଏହା ସହରର ପର୍ଯ୍ୟଟନକୁ ପ୍ରଭାବିତ କରିପାରେ । କାରଣ ଅନେକ ପର୍ଯ୍ୟଟକ ଅଣ ଶାକାହାରୀ ଖାଦ୍ୟ ପସନ୍ଦ କରନ୍ତି ।