କନକ ବ୍ୟୁରୋ: ସାଉଥ ଆଫ୍ରିକାର ଜନୈକ ମହିଳା, ଯିଏ ବିଶ୍ୱରେ ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ମେ ୧୧ ତାରିଖରେ ନିଜର ୧୨୮ ତମ ଜନ୍ମଦିନ ପାଳିଛନ୍ତି ଏହି ବୟସ୍କା ମହିଳା । ଆଉ ଏହି ଅବସରରେ ଗଣମାଧ୍ୟମରେ ବଖାଣିଛନ୍ତି ତାଙ୍କ ସୁସ୍ଥତା ଓ ଦୀର୍ଘ ଜୀବନର ସିକ୍ରେଟ୍ ।
ଆଜିକାଲି ଖାଦ୍ୟପେୟ ତଥା ଖରାପ ଜୀବନଶୈଳୀ କାରଣରୁ ଘରେ ଘରେ ଲୋକଙ୍କୁ ରୋଗ ଗ୍ରାସ କରୁଥିବାବେଳେ ଅଧିକାଂଶଙ୍କର ଅକାଳରେ ମୃତ୍ୟୁ ହେଉଛି । ହେଲେ ଏବେବି ବିଶ୍ୱରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ଜୀବନଶୈଳୀ ସେମାନଙ୍କୁ ଦୀର୍ଘ ଜୀବନର ଅଧିକାରୀ କରିପାରିଛି । ଏପରି ଜଣେ ମହିଳା ହେଉଛି ସାଉଥଆଫିକାର ଜୋହାନ୍ନା ମାଜିବୁକୋ । ୧୮୯୪ ମେ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜୋହାନ୍ନା ।
ଜୋହାନ୍ନାଙ୍କ ଜନ୍ମ ବିଷୟରେ କିଛି ମଜାଦାର କଥା କହିଛନ୍ତି ସେ ନିଜେ । ଜୋହାନ୍ନାଙ୍କର ଏକ ମକା କ୍ଷେତରେ ଜନ୍ମ ହୋଇଥିଲା । ସେମାନେ ମୋଟ ୧୨ ଭାଇ ଭଉଣୀ ଥିଲେ । ସେତେବେଳେ ତାଙ୍କ ପରିବାରରେ କେହି ଶିକ୍ଷିତ ନଥିଲେ । ପରିବାର ଭରଣପୋଷଣ ପାଇଁ ସେମାନଙ୍କୁ ଜମିରେ କାମ କରିବାକୁ ପଡୁଥିଲା । ଜମିକୁ କେବେ କେବେ ପଙ୍ଗପାଳଙ୍କ ପ୍ରଜାତିର ଝିଣ୍ଟିକା ମାଡିଆସୁଥିଲେ । ଜୋହାନ୍ନା ସେମାନଙ୍କୁ ଧରି ଭାଜି ଚଟଣି କରି ଖାଉଥିଲେ । ଏହା ଭାରି ସ୍ୱାଦିଷ୍ଟ ଥିଲ । । ବୟସ ବଢିବା ସଙ୍ଗେ ସଙ୍ଗେ ସେ କ୍ଷୀର ଓ ଜଙ୍ଗଲି ପାଳଙ୍ଗ ଖାଇବାକୁ ଲାଗିଲେ । ଆଜିକାର ଆଧୁନିକ ସମାଜରେ ଏହା ମିଳିବା କଷ୍ଟକର । ଏବେ ସେ ବର୍ତ୍ତମାନର ଖାଦ୍ୟ ଖାଇବାକୁ ବାଧ୍ୟ ହେଲେ ପୂର୍ବରୁ ସେ ଖାଦ୍ୟକୁ ବହୁତ୍ ମନେ ପକାଉଥିବା କହିଛନ୍ତି ଜୋହାନ୍ନା ।
୧୨୮ ବର୍ଷରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଛନ୍ତି । ଚାଲିବାରେ ସାମାନ୍ୟ କଷ୍ଟ ହେଉଛି । ହେଲେ ତାଙ୍କର ଦୃଷ୍ଟିଶକ୍ତି ବେଶ ଭଲ ରହିଛି । ତେବେ ତାଙ୍କ ସ୍ୱାମୀ ଚାଲିଯିବା ପରେ ଜଣେ ମହିଳା କେୟାଟେକର ଅଛନ୍ତି, ଯିଏ ୨୦୦୧ରୁ ତାଭ୍କର ଦେଖାଶୁଣା କରିଆସୁଛନ୍ତି ।