ଦୁନିଆର ସବୁଠାରୁ ଖତରନାକ୍ ଗ୍ଲାସିୟର…ଯାହା ଆଣିପାରେ ପୂରା ବିଶ୍ୱ ପାଇଁ ଭୟଙ୍କର ଜଳପ୍ରଳୟ । ଦେଖନ୍ତୁ କେଉଁଠି ଅଛି ଏହି ଗ୍ଲାସିୟର

282

କନକ ବ୍ୟୁରୋ : ଉତ୍ତରାଖଣ୍ଡର ତପୋବନରେ ପ୍ରକୃତିର ତାଣ୍ଡବ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଥରେ ଭାବନ୍ତୁ, ଗ୍ଲାସିୟରର ଅପେକ୍ଷାକୃତ ଏକ ଛୋଟ ଅଂଶ ଖସିବା ଯଦି ଏତେ ବଡ ପ୍ରଳୟ ଆଣିଲା, ତେବେ ଯଦି ବଡ ଗ୍ଲାସିୟର ତରଳେ ତେବେ କେଉଁଭଳି ଭାବେ ବିପଦ ମାଡି ଆସିବ । ଆସନ୍ତୁ ଜାଣିବା କେଉଁଠି ରହିଛି ଦୁନିଆର ସବୁଠୁ ଖତରନାକ୍ ଗ୍ଲାସିୟର, ଯାହା ଭବିଷ୍ୟତରେ ଆଣିପାରେ ବଡ ଜଳପ୍ରଳୟ ।

ଥ୍ୱାଇଟସ୍ ଗ୍ଲାସିୟର । ଆଂଟାର୍କଟିକାର ପଶ୍ଚିମ ଭାଗରେ ଅବସ୍ଥିତ ଏହି ଗ୍ଲାସିୟର ସମୁଦ୍ର ମଧ୍ୟରେ ଅନେକ କିଲୋମିଟର ଗଭୀରତାରେ ବୁଡିଯାଇଛି । ଏହି ଗ୍ଲାସିୟରର ଆଭ୍ୟନ୍ତରୀଣ ମୋଟେଇ ପ୍ରାୟ ୪୬୮ କିଲୋମିଟର । ଅର୍ଥାତ ସମୁଦ୍ର ଭିତରେ ଏହା ଏକ ବିଶାଳ ରାକ୍ଷସ ପରି ବିସ୍ତାରିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଏକ ଶକ୍ତିଶାଳୀ ଜାହାଜ ଏହା ସହିତ ଧକ୍କା ହୁଏ, ତେବେ ଏକ ଭୟଙ୍କର ଦୁର୍ଘଟଣା ହୋଇପାରେ । ଏହି ବିପଦକୁ ବୁଝିବା ପାଇଁ ହେଲେ ଆପଣଙ୍କୁ ଏହାର ଆକାର ସମ୍ପର୍କରେ ଜାଣିବାକୁ ହେବ ।

ଏଠାରେ ଥିବା ବରଫ ସମଗ୍ର ବିଶ୍ୱରେ ସଂଗୃହୀତ ବରଫର ୫୦ ଗୁଣରୁ ଅଧିକ ଅଟେ । ଥ୍ୱାଇଟସ୍ ଗ୍ଲାସିୟରର କ୍ଷେତ୍ରଫଳ ହେଉଛି, ୧,୯୨,୦୦୦ ବର୍ଗ କିଲୋମିଟର । ଅର୍ଥାତ ଯଦି ତୁଳନା କରାଯାଏ, ତେବେ ଏହା ଗ୍ରେଟ୍ ବ୍ରିଟେନ୍ ଆକାରର । ଯେତେବେଳେ ଏତେ ବିଶାଳ ଗ୍ଲାସିୟର ତରଳିବ, ସେତେବେଳେ ସାରା ବିଶ୍ୱକୁ ଭୟଙ୍କର ବିପଦ ମାଡିଆସିବ । ଆଉ ଏହାର ଆରମ୍ଭ ମଧ୍ୟ ହୋଇଯାଇଛି ।

ସମୁଦ୍ର ଭିତରେ ଏହି ଗ୍ଲାସିୟର ଭିତରେ ଛିଦ୍ର ସୃଷ୍ଟି ହେଉଛି । ନାସାର ବୈଜ୍ଞାନିକମାନେ ଏହାର ସନ୍ଧାନ କରିଛନ୍ତି । ତେବେ ଯଦି ଗ୍ଲାସିୟର ଧିରେ ଧିରେ ତରଳିଯାଏ, ତେବେ ସବୁକିଛି ସ୍ୱାଭାବିକ ରହିବ । କିନ୍ତୁ ସମସ୍ୟା ହେଉଛି, ଏହାର ଦ୍ରୁତ ତରଳିବା । ଚିନ୍ତାର ବିଷୟ ହେଉଛି, ଏହାର ବିଶାଳ ଖଣ୍ଡଗୁଡିକ ଭାଙ୍ଗିଯାଉଛି ଏବଂ ଏହା ପରେ ସମୁଦ୍ର ସଂସ୍ପର୍ଶରେ ଆସିବାବେଳେ ସେଗୁଡିକ ତରଳିଯାଉଛି । ଆଉ ଏହି କାରଣରୁ ସମୁଦ୍ର ପତନ ମଧ୍ୟ ବୃଦ୍ଧି ପାଇଛି । କୁହାଯାଉଛି, ଆଗାମୀ ୧୫୦ ବର୍ଷ ମଧ୍ୟରେ ଗ୍ଲାସିୟର ସମ୍ପୂର୍ଣ୍ଣ ତରଳିଯିବ । ଆଉ ଏହା ବିରାଟ ବିନାଶ ଆଣିବ ।

ସାରା ବିଶ୍ୱରେ ସମୁଦ୍ରର ସ୍ତର ୨ରୁ ୫ ଫୁଟ୍ ବୃଦ୍ଧି ପାଇବ । ଏହି କାରଣରୁ ବନ୍ୟା ଆସିବ ଆଉ ଉପକୂଳବର୍ତୀ ଅଂଚଳ ଜଳ ଦ୍ୱାରା ବୁଡିଯିବ । ବିଭିନ୍ନ ଦେଶର କୋଟି କୋଟି ଲୋକଙ୍କର ଜୀବନ ଚାଲିଯାଇପାରେ ।