ବେଙ୍ଗାଲୁରୁରେ ବିଶ୍ୱର ସର୍ବବୃହତ୍‌ ଇ-ସ୍କୁଟର କାରଖାନା; ପ୍ରତି ୨ ସେକେଣ୍ଡରେ ତିଆରି ହେବ ଗୋଟିଏ ସ୍କୁଟର

357

କନକ ବ୍ୟୁରୋ : ଦେଶ ଆଗଉଛି । ସାରା ବିଶ୍ୱରେ ଭାରତ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ବେଙ୍ଗାଲୁରୁରେ ବିଶ୍ୱର ଇ-ସ୍କୁଟର କାରଖାନା ନିର୍ମାଣ ହେବାକୁ ଯାଉଥିବା ଖବର ମିଳିଛି । ବେଙ୍ଗାଲୁରୁରେ ସ୍ଥାପନ ହେବାକୁ ଯାଉଥିବା ବିଶ୍ୱର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍‌ ସ୍କୁଟର୍‌ କାରଖାନାରେ ପ୍ରତି ୨ ସେକେଣ୍ଡରେ ଗୋଟିଏ ସ୍କୁଟର ତିଆରି ହେବ ବୋଲି ଆକଳନ କରାଯାଇଛି।

ଏହି କମ୍ପାନି ସ୍ଥାପନ କରିବାକୁ ଯାଉଥିବା ‘ଓଲା ଇଲେକ୍ଟ୍ରିକ୍‌ ମୋବିଲିଟି’ର ପ୍ରତିଷ୍ଠାତା ଭବିଶ ଅଗ୍ରଓ୍ଵାଲ୍‌ ଏଥିପାଇଁ ବାଙ୍ଗାଲୋର୍‌ ଉପକଣ୍ଠରେ କିଛି ଘର, ଛୋଟ ଛୋଟ ଦେବାଳୟ ଏବଂ ଆମ୍ବ ତୋଟା ଥିବା ୫୦୦ ଏକରବିଶିଷ୍ଟ ଏକ ଜାଗା ସର୍ବେକ୍ଷଣ କରିଛନ୍ତି। ଆଗାମୀ ୧୨ ସପ୍ତାହ ମଧ୍ୟରେ ଏହି ଫାଙ୍କାଳିଆ ସ୍ଥାନରେ ଆରମ୍ଭ ହେବ ବିଶ୍ୱର ବୃହତ୍ତମ ଇଲେକ୍ଟ୍ରିକ୍‌ ସ୍କୁଟର୍‌ କାରଖାନା। ୩୩୦ ନିୟୁତ ଡଲାର ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଏହି କାରଖାନାରୁ ବର୍ଷକୁ ପ୍ରାୟ ୨ ନିୟୁତ ସ୍କୁଟର୍‌ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି।

ସବୁକିଛି ଯୋଜନାମତେ ଚାଲିଲେ, ୨୦୨୨ ଗ୍ରୀଷ୍ମକାଳ ବେଳକୁ ଏହି କାରଖାନାରୁ ବାର୍ଷିକ ୧୦ ନିୟୁତ ଇ-ସ୍କୁଟର୍‌ ନିର୍ମାଣ ହୋଇପାରିବ।  ଏହା ହେଉଛି ବିଶ୍ୱରରେ ଉତ୍ପାଦିତ ହେଉଥିବା ସମୁଦାୟ ଇ-ସ୍କୁଟର୍‌ର ୧୫%। ପ୍ରକାରାନ୍ତରେ କହିବାକୁ ଗଲେ, ଆସନ୍ତାବର୍ଷକୁ ଏହି କାରଖାନାର ସମ୍ପ୍ରସାରଣ ହେଲେ ପ୍ରତି ଦୁଇ ସେକେଣ୍ଡ୍‌ରେ ଗୋଟିଏ ସ୍କୁଟର୍‌ ବାହାରିବ।

କହିରଖୁ କି ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ତୈଳଦରକୁ ନେଇ ଗାଡି ଚାଳକ ମାନେ ଏବେ ଇ-ସ୍କୁଟର ବା ଇଲେକ୍ଟୋନିକ୍ସ ବାଇକ୍ କୁ ପସନ୍ଦ କରୁଛନ୍ତି । ତେଣୁ ମାର୍କେଟରେ ଏହି ବାଇକ ଓ ସ୍କୁଟରର ବେସ୍ ଚାହିଦା ରହିଛି । ଏହକୁ ନଜରରେ ରଖି ଦେଶରେ ଇ-ସ୍କୁଟର ନିର୍ମାଣ କରିବାକୁ ସରକାର ଯୋଜନା କରୁଛନ୍ତି । ବେଙ୍ଗାଲୁରୁର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଦେଶରେ ଇ-ସ୍କୁଟର ଦାମ କମ୍ ରହିବ ବୋଲି ଆକଳନ କରାଯାଉଛି ।