ଗୁଜରାଟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟର ପ୍ରତିମୂର୍ତ୍ତି ନିର୍ମାଣ କରି ବିଶ୍ୱର ସବୁଠୁ ଉଚ୍ଚ ତଥା ବଡ ପ୍ରତିମୂର୍ତ୍ତି ନିର୍ମାଣ କରିବାର ରେକର୍ଡ ଭାରତ ନିଜ ନାଁରେ କରିଥିବା ବେଳେ ଏବେ ଆଉ ଏକ ନୂଆ କୀର୍ତ୍ତିମାନ ରଚିବାକୁ ଯାଉଛି ଭାରତ । ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମର ନିର୍ମାଣ କରି ଆଉ ଏକ ରେକର୍ଡ କରିବାକୁ ଯାଉଛି ଭାରତ । ଆଉ ଏହି ବୃହତକାୟ ଷ୍ଟାଡିୟମ ଗୁଜରାଟ ଅହମ୍ମଦାବାଦର ମୋଟେରାରେ ନିର୍ମାଣ ଚାଲିଛି ।
କ୍ରିକେଟ ପାଗଳ ଦେଶ ଭାରତ । ଏଠାରେ କ୍ରିକେଟକୁ ପୂଜା କରିଥାନ୍ତି ଲୋକେ । ଯଦି ଟିମ୍ ଜିତିଯାଏ ତେବେ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଥାଏ । ଆଉ ଯଦି ଟିମ୍ ହାରିଯାଏ ତେବେ କଥା ସରିଲା । ଟିଭି ଭଙ୍ଗା ଠାରୁ ଆରମ୍ଭ କରି ଖେଳାଳିଙ୍କୁ ମନଇଚ୍ଛା ଗାଳି ଦେଇଥାନ୍ତି କ୍ରିକେଟ ପ୍ରେମୀ । ଆଉ ଏଭଳି କ୍ରିକେଟ ପ୍ରେମୀଙ୍କ ପାଇଁ ଏବେ ଗୁଜରାଟରେ ବିଶ୍ୱର ବଡ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଚାଲିଛି । ଆଉ ଷ୍ଟାଡିୟମ ନିର୍ମାଣ ସମୟର କିଛି ଫଟୋ ଗୁଜରାଟ କ୍ରିକେଟ ଆସୋସିଏସନର ଉପସଭାପତି ପରିମଳ ନାଥବାଣୀ ନିଜର ଟ୍ୱିଟର ପେଜରେ ସେୟାର କରିଛନ୍ତି । ଆକାଶପଥରୁ ଏହି ଷ୍ଟାଡିୟମ ବେଶ ସୁନ୍ଦର ଦେଖାଯାଉଛି । ପୂର୍ବରୁ ବିଶ୍ୱର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ ପାଇଁ ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଏବେ ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ପାଇଁ ଚର୍ଚ୍ଚାକୁ ଆସିବାକୁ ଯାଉଛି ।
World's Largest Cricket Stadium, larger than #Melbourne, is under construction at #Motera in #Ahmedabad,#Gujarat. Once completed the dream project of #GujaratCricketAssociation will become pride of entire India. Sharing glimpses of construction work under way. @BCCI@ICC#cricketpic.twitter.com/WbeoCXNqRJ
— Parimal Nathwani (@mpparimal) January 6, 2019
ପରିମଳ ନାଥବାଣୀ ନିଜ ଟ୍ୱିଟରରେ ଷ୍ଟାଡିୟମ ନିର୍ମାଣର ଫଟୋ ଛାଡି ଲେଖିଛନ୍ତି, ଦୁନିଆର ସବୁଠୁ ବଡ ଷ୍ଟାଡିୟମ ।ଯାହା ଅଷ୍ଟ୍ରେଲିଆରେ ଥିବା ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମ ଠାରୁ ମଧ୍ୟ ବଡ । ଏହା ଗୁଜରାଟ ଅହମ୍ମଦାବାଦରେ ଏହାର ନିର୍ମାଣ କରାଯାଉଛି । ଯେତେବେଳେ ଗୁଜରାଟ କ୍ରିକେଟ ଆସୋସିଏସନର ଏହି ସ୍ୱପ୍ନ ପୂରଣ ହେବ ସେତେବେଳେ ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଗର୍ବ ଅନୁଭବ କରିବେ ।
ଗୁଜରାଟ କ୍ରିକେଟ ବୋର୍ଡର ଏହା ଡ୍ରିମ ପ୍ରୋଜେକ୍ଟ ରହିଥିବା ବେଳେ ଏହାର ଆରମ୍ଭ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଏହି ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଦର୍ଶକ ବସି ନିଜ ପ୍ରିୟ ଟିମକୁ ଚିୟର କରିବା ସହ ମ୍ୟାଚ୍ ଉପଭୋଗ କରିପାରିବେ । ୬୩ ଏକର ଜମିରେ ନିର୍ମାଣ ହେଉଥିବା ଏହି ଷ୍ଟାଡିୟମ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଷ୍ଟାଡିୟମରେ ୩ଟି ଅଭ୍ୟାସ ଗ୍ରାଉଣ୍ଡ ଥିବା ବେଳେ ଗୋଟିଏ ଇନଡୋର କ୍ରିକେଟ ଆକାଡେମୀ ମଧ୍ୟ ରହିବ । ଏହି ଷ୍ଟାଡିୟମର କ୍ଲବ ହାଉସରେ ୫୫ଟି ରୁମ ଓ ଗୋଟିଏ ବଡ ସ୍ୱିମିଂ ପୁଲ ମଧ୍ୟ ରହିବ । ଏହାଛଡା ଷ୍ଟାଡିୟମରେ ୭୬ଟି କର୍ପୋରେଟ ବକ୍ସ ରହିବ । ଏହି ବିଶାଳକାୟ ଷ୍ଟାଡିୟମରେ ୩ ହଜାର ଚାରି ଚକିଆ ଗାଡି ଓ ୧୦ ହଜାର ଦୁଇ ଚକିଆ ଗାଡିର ପାର୍କିଂ କରାଯାଇପାରିବ । ଏହାର ଷ୍ଟାଡିୟମର ନିର୍ମାଣ ଏଲ ଆଣ୍ଡ ଟି କମ୍ପାନି ପକ୍ଷରୁ କରାଯାଉଛି ।