କନକ ବ୍ୟୁରୋ : ସାଧାରଣତଃ ଟଙ୍କା କାରବାରକୁ ସହଜ ଓ ସୁବିଧା କରିବାକୁ ଏଟିଏମ ବ୍ୟବସ୍ଥା ରହିଛି । ଲୋକେ ଯେପରି ଟଙ୍କା ପାଇଁ ବ୍ୟାଙ୍କରେ ଭିଡ଼ ନ ଲଗାଇବେ ସେଥିପାଇଁ ବ୍ୟାଙ୍କ ଗୁଡିକ ପକ୍ଷରୁ ଏଟିଏମ ଓ ଡିଜିଟାଲ ଟ୍ରାଞ୍ଜାକସନ ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କ ସୁବିଧା ପାଇଁ ମାତ୍ର କେଇ ମିଟର ପରିଧି ମଧ୍ୟରେ ହିଁ ଏକାଧିକ ଏଟିଏମ ବ୍ୟବସ୍ଥା ରହିଛି । କିନ୍ତୁ ଏମିତି ଏକ ଏଟିଏମ ଅଛି ପାହାଡର ଚୂଡାରେ ରହିଛି । ଆଉ ବିଶ୍ୱର ସବୁଠୁ ଉଚ୍ଚତମ ସ୍ଥାନରେ ଏହି ଏଟିଏମ ରହିଛି । ଯେଉଁଠି ପହଞ୍ଚିବାକୁ ଲୋକଙ୍କୁ ବାଦଲ ଭିତର ଦେଇ ପାହାଡର ଚୂଡାରେ ପହଞ୍ଚିବାକୁ ପଡିଥାଏ । ଆଉ ସବୁଠୁ ବଡ କଥା ହେଲା ଏତେ ଉପରେ ଥିବା ସତ୍ତେ୍ୱ ମଧ୍ୟ ଏହି ଏଟିଏମରୁ ଟଙ୍କା ଉଠାଇବାକୁ ଲୋକଙ୍କର ଲାଇନ ଲାଗିଥାଏ । ତେବେ ଏତେ ଉପରେ ବିଜୁଳି ବିନା କିଭଳି ଏହି ଏଟିଏମ ଚାଲିଥାଏ? ଏହି ଏଟିଏମରୁ ଟଙ୍କା ଉଠାଇବାକୁ କାହିଁକି ଲୋକେ ଲାଇନ ଲଗାନ୍ତି କିଛି ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବା ସ୍ୱାଭାବିକ ।

Advertisment

ଚୀନ୍ ଓ ପାକିସ୍ତାନ ମଧ୍ୟରେ ଏହି ଏଟିଏମ ରହିଛି । ବରଫାଦୃତ ରହୁଥିବା ଏହି ଅଞ୍ଚଳକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଦେଶ ଓ ବିଦେଶରୁ ଆସିଥାନ୍ତି । ଯେଉଁଥିପାଇଁ ନ୍ୟାସନାଲ ବ୍ୟାଙ୍କ ଅଫ୍ ପାକିସ୍ତାନ ପକ୍ଷରୁ ଏହି ଏଟିଏମ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ୨୦୧୬ରେ ଏହି ଏଟିଏମକୁ ପାହାଡ ଉପରେ ସ୍ଥାପନ କରାଯାଇଥିଲା । ଏଠାରେ ଏଟିଏମ ବିଦ୍ୟୁତ ଦ୍ୱାରା ନୁହେଁ ବରଂ ସୌରଶକ୍ତି ଦ୍ୱାରା ଚାଲିଥାଏ । ୪୬୯୩ ମିଟର ଉଚ୍ଚରେ ଥିବା ଏହି ଏଟିଏମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ଏହି ଏଟିଏମ ସ୍ଥାପନ ଦ୍ୱାରା ସ୍ଥାନୀୟ ବାସିନ୍ଦା, ଯବାନ ଓ ପର୍ଯ୍ୟଟକଙ୍କୁ ଟଙ୍କା ଉଠାଇବାରେ ସୁବିଧା ହେଉଛି । ଆଉ ବିଶ୍ୱରେକର୍ଡରେ ସାମିଲ ହୋଇଥିବାରୁ ଏହି ଏଟିଏମରୁ ଟଙ୍କା ଉଠାଇବାକୁ ପର୍ଯ୍ୟଟକ ମାନେ ଆକର୍ଷିତ ହୋଇଥାନ୍ତି । ଏହି ଏଟିଏମରୁ ଟଙ୍କା ଉଠାଇବାକୁ ପର୍ଯ୍ୟଟକ ମାନେ ସମ୍ମାନ ବୋଲି ବିଚାର କରନ୍ତି । ଯେଉଁଥିପାଇଁ ଟଙ୍କା ଉଠାଣ ବେଳେ ଫଟୋ ଉଠାଇବାକୁ ଆଦୌ ଭୁଲନ୍ତି ନାହିଁ ପର୍ଯ୍ୟଟକ । ଏଟିଏମ ଉପରେ ଦୃଷ୍ଟି ରଖିବାକୁ ଜଣେ ମହିଳା ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି । ଯାହାଙ୍କ କହିବା ଅନୁଯାୟୀ, ଏହି ଏଟିଏମ ଠାରୁ ୮୭ କିଲୋମିଟର ଦୂରରେ ଏନବିପିର ଶାଖା ରହିଛି । ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଏହି ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ପ୍ରତି ୧୫ ଦିନ ମଧ୍ୟରେ ଏହି ଏଟିଏମରୁ ପାଖାପାଖି ୪୦-୫୦ ଲକ୍ଷ ଟଙ୍କା ଉଠାଣ ହୋଇଥାଏ ।