ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ, ଡବ୍ଲୁଏଚଓ ମୁଖ୍ୟଙ୍କ ସୂଚନା

203

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ମିଳିଛି । ଡବ୍ଲୁଏଚଓ ପକ୍ଷରୁ ମ୍ୟାଲେରିଆ ଟିକା ଆରଟିଏସ-ଏସଏଏସ୦୧କୁ ଅନୁମୋଦନ ମିଳିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ସୂଚନା ଦେଇଛନ୍ତି । ପିଲାମାନଙ୍କ ପାଇଁ ଉଦ୍ଧିଷ୍ଠ ଏହି ମ୍ୟାଲେରିଆ ଟିକା ହେଉଛି ମଶା କାମୁଡିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା । ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁୁଁ ପ୍ରତିବର୍ଷ ୪ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ।

ବିଶେଷ ଭାବରେ ଆଫ୍ରିକାର ପିଲାମାନେ ଏହି ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ ଆରଟିଏସ-ଏସଏଏସ୦୧ ମ୍ୟାଲେରିଆ ଟିକା ଏହା ବିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ୨୦୧୯ରୁ ଘାନା, କେନିଆ ଓ ମାଲାୱିରେ ଟିକାର ୨ନିୟୁତରୁ ଅଧିକ ଡୋଜ ପିଲାମାନଙ୍କୁ ଦିଆଯାଇଥିଲା । ଏହି ପରୀକ୍ଷାମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିଛି । ପ୍ରଥମେ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜିଏସକେ ୧୯୮୭ରେ ଏହି ଟିକା ପ୍ରସ୍ତୁତ କରିଥିଲା । ଟିକାର ଟ୍ରାଏଲ ହୋଇଥିବା ଦେଶଗୁଡିକରେ ଏହାର ସକାରାତ୍ମକ ଫଳାଫଳ ମିଳିଛି ।

ତେଣୁ ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଛି । ଏହି ଟିକାର ୪ଟି ଡୋଜକୁ ଶିଶୁ ଜନ୍ମରୁ ଦୁଇ ବର୍ଷ ଭିତରେ ନେବାକୁ ପଡିବ । ପ୍ରତି ଦୁଇ ମିନିଟରେ ଜଣେ ଛୋଟ ପିଲା ମ୍ୟାଲେରିଆ ଯୋଗୁଁ ପ୍ରାଣ ହରାଉଛି ।ବିଶ୍ୱର ମୋଟ ମ୍ୟାଲେରିଆ ମୃତ୍ୟୁରୁ ଅଧାରୁ ଅଧିକ ଆଫ୍ରିକା ଓ ନାଇଜେରିଆରେ ଦେଖିବାକୁ ମିଳିଛି । ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି ମ୍ୟାଲେରିଆର ପ୍ରଥମ ଲକ୍ଷଣ ।