ଟ୍ରାକରେ ଗଡ଼ିଲା ଦୁନିଆର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ : ଜାଣନ୍ତୁ ଘଣ୍ଟାକୁ କେତେ ବେଗରେ ଦୈାଡିବ

26

ବ୍ୟାପକ ବାୟୁ ପ୍ରଦୂଷଣ ବର୍ତ୍ତମାନ ପୃଥିବୀର ଏକ ବଡ଼ ସଂକଟ ହୋଇ ଦେଖାଦେଇଛି। ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ଯାନବାହାନରୁ ବାହାରୁ ଥିବା ଧୂଆଁ ହେତୁ ବହୁ ପରିମାଣର କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୋଇ ବାୟୁମଣ୍ଡଳକୁ ବିଷାକ୍ତ କରୁଛି। ଯଦିଓ ବସ୍, ଟ୍ରକ ଓ ଅନ୍ୟ ଡିଜେଲ୍ ଚାଳିତ ଭାରୀ ଯାନ ଯୋଗୁଁ ପ୍ରଦୂଷଣ ଅଧିକ ହୋଇଥାଏ। ଟ୍ରେନର ଡିଜେଲ୍ ଇଂଜିନରୁ ମଧ୍ୟ ଏହି ରାସାୟନିକ ନିର୍ଗତ ହୋଇଥାଏ। ତେବେ ପ୍ରଦୂଷଣ କରୁ ନଥିବା ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଇଂଜିନ୍ ବଜାରକୁ ଆସୁଛି।

ହାଇଡ୍ରୋଜେନ୍ ଟ୍ରେନ୍ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ। ଏଥିରେ ବ୍ୟବହୃତ ହେଉଥିବା ବ୍ୟାଟେରୀ ଲିଥିୟମ୍-ଆଇଓନରୁ ପ୍ରସ୍ତୁତ ହୋଇଥିବା ଫଳରେ ମୋବାଇଲ୍ ଫୋନ୍ ବ୍ୟାଟେରି ଭଳି ଏହା ନିର୍ମିତ ହୋଇଥାଏ। ହାଇଡ୍ରୋଜେନ୍ ଜାଳେଣୀ ଦ୍ୱାରା ଏହା ଚାଲିଥାଏ। ହାଇଡ୍ରୋଜେନରୁ ଇଂଜିନ୍ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଏ, ଯାହା ଦ୍ୱାରା ଟ୍ରେନ୍ ଚାଲେ। ଫଳରେ ଟ୍ରେନ୍ ଇଂଜିନରୁ ଧୂଆଁ ଓ ପାଣି ବାହାରେ ନାହିଁ। ଏହା ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ଗତି କରିବ। ଏହି ଇଂଜିନ୍ ପ୍ରସ୍ତୁତ କରୁଥିବା ଅଲଷ୍ଟମ୍ କମ୍ପାନୀ ପକ୍ଷରୁ କୁହାଯାଇଛି କି, ଗୋଟିଏ ସିଲିଣ୍ଡର ହାଇଡ୍ରୋଜେନରେ ଟ୍ରେନ୍ ୧,୦୦୦ କିଲୋମିଟର ଯାତ୍ରା କରିପାରିବ। ଏହାର ଇନ୍ଧନ ପ୍ରକ୍ରିୟାକରଣ ବ୍ୟବସ୍ଥା ସମୟରେ ଯେଉଁ ବଳକା ବିଦ୍ୟୁତ୍ ଉତ୍ପନ୍ନ ହୁଏ ତାହା ବ୍ୟାଟେରୀରେ ସଂଚିତ ହୋଇଥାଏ।

ଜର୍ମାନୀରେ ପ୍ରଥମ କରି ଯାତ୍ରୀବାହୀ ଟ୍ରେନରେ ହାଇଡ୍ରୋଜେନ୍ ଇଂଜିନ୍ ଖଞ୍ଜାଯାଇଛି। ସଫଳତାର ସହ ଏହା ପରୀକ୍ଷଣ ହୋଇଛି। ଅଲଷ୍ଟମ୍ ପକ୍ଷରୁ କୁହାଯାଇଛି କି ଇଂଲଣ୍ଡ, ନେଦରଲ୍ୟାଣ୍ଡ, ଡେନମାର୍କ, ନରୱେ, ଇଟାଲି ଓ କନଡାରୁ ଏହି ନୂଆ ଇଂଜିନ୍ କ୍ରୟ ଲାଗି ପ୍ରସ୍ତାବ ଆସିଛି।