କନକ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିବାକୁ ଦକ୍ଷିଣ କୋରିଆର ନୂଆ ପଦେକ୍ଷେପ । ଏହି ରାଷ୍ଟ୍ର ନିର୍ମାଣ କରିବାକୁ ଯାଉଛି ବିଶ୍ୱର ପ୍ରଥମ ଭାସମାନ ସହର । ଦକ୍ଷିଣ କୋରିଆର ବୁସାନରେ ଗଢିଉଠିବ ବିଶ୍ୱର ପ୍ରଥମ ଭାସମାନ ସହର । ଏଠାରେ ୟୁନାଇଟେଡ୍ ନେସନ୍ସ ଦ୍ୱାରା ସମର୍ଥିତ ବୈଜ୍ଞାନିକମାନେ ପୃଥିବୀର ପ୍ରଥମ ଭାସୁଥିବା ସହରର ପ୍ରୋଟୋଟାଇପ୍ ନିର୍ମାଣରେ ଲାଗିପଡିଛନ୍ତି । ‘ଓସେନିକ୍ସ’ ନାମକ ଏହି ପ୍ରୋଜେକ୍ଟ ବିଷୟରେ ଗତ ବର୍ଷ ଘୋଷଣା ହୋଇଥିଲା । କିନ୍ତୁ ଏହାର ନୂଆ ଡିଜାଇନର ଫଟୋ ଏବେ ସାମ୍ନାକୁ ଆସିଛି ।

Advertisment

ଏହି ଭାସମାନ ସହର ବିଷୟରେ ପ୍ରକାଶ ପାଇଛି ଅନେକ ମଜାଦାର ତଥ୍ୟ । ଦୂରରୁ ଦେଖିଲେ ଏହି ସହର ଏକ ଫୁଲ ଆକୃତିର । ସମୁଦ୍ର ଭିତରେ ମୋଟ ୧୫.୫ ଏକର ସ୍ଥାନରେ ୬ଟି କ୍ଲଷ୍ଟରକୁ ନେଇ ଏହି ସହର । ଏଠାରେ ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ରହିବ ସମସ୍ତ ସୁବିଧା ସୁଯୋଗ । ବନ୍ୟା ହେଉ କି ସୁନାମି ସହର କିନ୍ତୁ ସମୁଦ୍ରରେ ଭାସିବ । ସମୁଦ୍ର ପତନ ଯେତେ ବଢୁ ଏହି ସହରରେ ରହୁଥିବା ଲୋକଙ୍କର କିଛି ପରବାୟ ନାହିଁ ।

ତଟବର୍ତ୍ତୀ ଇଲାକାରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଭାସମାନ ସହରର ପରିକଳ୍ପନା କରାଯାଇଛି । ସମୁଦ୍ର ସ୍ତର ବୃଦ୍ଧି ଯୋଗୁଁ ଧ୍ୱଂସ ଆଶଙ୍କା ଭିତରେ ଥିବା ଜନ ସମୁଦାୟ ଏହାଦ୍ୱାରା ବିଶେଷ ଲାଭବାନ୍ ହୋଇପାରିବେ । ‘ଓସେନିକ୍ସ’ ଅନୁସାରେ , ବିଶ୍ୱରେ ପ୍ରତି ୫ ଜଣରେ ୨ଜଣ ବ୍ୟକ୍ତି ସମୁଦ୍ର ତଟର ୧୦୦ କିମି ମଧ୍ୟରେ ବସବାସ କରୁଛନ୍ତି । ପ୍ରତିବର୍ଷ ବନ୍ୟା ଯୋଗୁଁ ଲକ୍ଷାଧିକ ଲୋକେ ବାସହରା ହୋଇଯାଉଛନ୍ତି । ଏପରି ସ୍ଥିତିରେ ଏକ ସ୍ଥାୟୀ ଓ ସୁରକ୍ଷିତ ସହର ଭାବେ ‘ଓସେନିକ୍ସ’ ଏକ ଉତ୍ତମ ବିକଳ୍ପ ବୋଲି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହି ଭାସମାନ ସହର ପାଇଁ ସମୁଦ୍ରରୁ ହିଁ ବିଜୁଳି ଶକ୍ତି ଉତ୍ପାଦନ ହେବ । ଏଠାରେ ଚାଷକାର୍ଯ୍ୟ ହେବ । ଏଠିକାର ହୋଟେଲରେ ଲୋକଙ୍କ ପାଇଁ ସି ଫୁଡ୍ ଓ ଶାକାହାରୀ ଭୋଜନ ଉଭୟ ମିଳିବ । ନୀଲ ଲାଗୁନ ଉପରେ ନିର୍ମାଣ ହେବାକୁ ଥିବା ଏହି ଚମକ୍ରାର ସହର ୨୦୨୫ ସୁଦ୍ଧା ଶେଷ ହେବ । ଏଥିପାଇଁ ୨ଶହ ମିଲିଅନ୍ ଡଲାର , ଯାହା ଭାରତୀୟ ମୁଦ୍ରାରେ ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି ।

ଜାତିସଂଘର ରିପୋର୍ଟ ମୁତାବକ, ୨୦୫୦ ସୁଦ୍ଧା ସମୁଦ୍ରରେ ବୁଡିଯିବ ବିଶ୍ୱର ବଡ ବଡ ସହର । ଏଥିରେ ରହିଛି ଭାରତର ଗୁରୁତ୍ୱପୂର୍ଣ୍ଣ ସହର । ଏଥିରେ ଓଡିଶାର ପାରାଦୀପ ସହର ମଧ୍ୟ ରହିଛି । ଏବେ ଯେଉଁ ପରିମାଣରେ ପ୍ରଦୂଷଣ ଓ ବିଶ୍ୱ ତାପନ ବଢୁଛି ଭବିଷ୍ୟତରେ ପୃଥିବୀର ମେରୁ ଅଞ୍ଚଳରେ ଥିବା ବରଫ ସବୁ ତରଳି ସମୁଦ୍ରର ଜଳ ପତନ ବୃଦ୍ଧି ପାଇବ । ଫଳରେ ଅନେକ ବଡ ବଡ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ବୈଜ୍ଞାନୀକ ମାନେ ପ୍ରକାଶ କରିଛନ୍ତି । ହେଲେ ଏଥର ଆଉ ପାଣିକୁ ଡରିବାର ନାହିଁ ବରଂ ଆରମ୍ଭ ହୋଇଛି ସମୁଦ୍ରରେ ଘର କରି ରହିବାର ପ୍ରୟାସ ।