କନକ ବ୍ୟୁରୋ : ଆଜି ଜାପାନର ତୋକୁଶିମା ଜିଲ୍ଲା ଅନ୍ତର୍ଗତ କାଇୟୋ ସହରରେ ଚାଲିବ ଉଭୟ ସଡ଼କ ଓ ରେଳପଥରେ ଅନାୟାସରେ ଚାଲିପାରୁଥିବା ବିଶ୍ବର ପ୍ରଥମ ଗାଡ଼ି। ଏହାକୁ ବସ୍ କହିହେବ, ଟ୍ରେନ୍ କହିହେବ କିମ୍ବା ‘ଡଏମ୍ଭି’ (ଡୁଆଲ୍-ମୋଡ୍-ଭେଇକ୍ଲ୍) କହିହେବ।
ମିନି ବସ୍ ଭଳି ଦିଶୁଥିବା ଏବଂ ସାଧାରଣ ରବର ଟାୟାର୍ ଲାଗିଥିବା ଏହି ‘ଡିଏମ୍ଭି’ ସଡ଼କ ପଥରେ ଚାଲେ। କିନ୍ତୁ, ସଡ଼କ ଛାଡ଼ି ରେଳ ପଥରେ ଯିବାକୁ ପଡ଼ିଲେ ଏହାର ତଳୁ ଇସ୍ପାତ ଚକ ବାହାରି ଆସେ ଏବଂ ଟ୍ରେନ୍ ବଗି ପରି ଗଡ଼ିଚାଲେ। ଗାଡ଼ି ସାମ୍ନା ପଟ ତଳୁ ବାହାରୁ ଥିବା ଇସ୍ପାତ ଚକା ଟାୟାର୍କୁ ଧାରଣା ଉପରକୁ ଟେକି ରଖୁଥିବା ବେଳେ ଗାଡ଼ିକୁ ଠେଲିବାକୁ ପଛପାଖର ଟାୟାର୍ ଚକ ରେଳଧାରଣା ଉପରେ ଲାଗି ରହିଥାଏ।
‘ଡିଏମଭି’ର ଚଳାଉଥିବା ‘ଆସା କୋଷ୍ଟ୍ ରେଲ୍ୱେ କମ୍ପାନି’ର ସି.ଇ.ଓ. ଶିଗେକି ମିଉରା କହନ୍ତି, ବାର୍ଦ୍ଧକ୍ୟ ଏବଂ ହ୍ରାସ ପାଇ ଆସୁଥିବା ଜନସଂଖ୍ୟାବିଶିଷ୍ଟ କାଇୟୋ ଭଳି କ୍ଷୁଦ୍ର ସହରର ପାଇଁ ଏହି ଗାଡ଼ି ଖୁବ୍ ସହାୟକ ହେବ। ଲାଭ ଆଶାରେ ଏଠାକାର ସ୍ଥାନୀୟ ପରିବହନ କମ୍ପାନିମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କାରଣ, ଏହି ଗାଡ଼ି ସ୍ଥାନୀୟ ଯାତ୍ରୀଙ୍କ ନିକଟରେ ବସ୍ ରୂପେ ପହଞ୍ଚିବା ସହ ସେମାନଙ୍କୁ ନେଇ ରେଳପଥରେ ମଧ୍ୟ ଯାତ୍ରା କରିପାରିବ। ବିଶେଷକରି, ମଫସଲ ଅଞ୍ଚଳ ପାଇଁ ଏହା ଉପକାରୀ ହେବ।
ଡିଜେଲ୍ ଇନ୍ଧନରେ ଚାଲୁଥିବା ଏହି ‘ଡିଏମ୍ଭି’ ଥରକେ ୨୧ଜଣ ଯାତ୍ରୀଙ୍କୁ ନେଇ ରେଳପଥରେ ଘଣ୍ଟାପ୍ରତି ୬୦ କିଲୋମିଟର୍ ବେଗରେ ଗତି କରୁଥିବା ବେଳେ ସଡ଼କରେ ୧୦୦ କିଲୋମିଟର୍ ବେଗରେ ଗତି କରିବ।