ବଞ୍ଚାଇପାରିଲାନି ୧୬ କୋଟିର ଇଂଜେକ୍ସନ : ଛିଡିଲା କୁନିଝିଅର ଜୀବନ ଡୋରି, ଚର୍ଚ୍ଚାରେ ଥିଲେ ବେଦୀକା 

3,398

କନକ ବ୍ୟୁରୋ: ୧୬ କୋଟିର ଇଂଜେକ୍ସନ୍ , ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ, ତଥାପି ଜୀବନ ଯୁଦ୍ଧରେ ହାରିଗଲା କୁନିଝିଅ । ତୁଟିଗଲା ୧୩ ମାସର ଝିଅ ବେଦୀକାର ଜୀବନ ଡୋରି । ବେଦୀକାଙ୍କ ପାଇଁ ଆର୍ଥିକ ସହାୟତା କରିଥିବା ଶୁଭେଚ୍ଛୁ ମହଲରେ ଏବେ ବିଷାଦର ଛାୟା ।

ସବୁ ଠିକ୍ ଚାଲିଥିଲା । କୁନି ଝିଅର ଖିଲିଖିଲି ହସରେ ପୁରିଯାଉଥିଲା ଘର । ମାଙ୍କ ସହ ଗୁରୁଣ୍ଡି ଗୁରୁଣ୍ଡି ଖେଳୁଥିଲା ବେଦୀକା । ହଠାତ ମାଡି ଆସିଲା କାଳର କଳା ଛାଇ । ଅଚାନକ୍ ବେଦୀକାର ଅକ୍ସିଜେନ୍ ଲେବଲ୍ କମିଗଲା । ତୁରନ୍ତ ପାଖ ହସ୍ପିଟାଲରେ ଭର୍ତ୍ତି କରାଗଲା । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା କିନ୍ତୁ ବଂଚାଇପାରିଲାନି ଏହି କୁନି ଝିଅକୁ ।

ବୟସ ମାତ୍ର ୧୩ ମାସ । ହେଲେ ସେସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ ପୁଣେର କୁନିଝିଅ । କୌଣସି ପ୍ରତିଭାକୁ ନେଇ ନୁହେଁ ବରଂ ସେ ପୀଡିତ ଥିବା ଏକ ବିରଳ ରୋଗ ପାଇଁ । ମାତ୍ର ୪ ମାସରେ ଜଣାପଡିଲା ବେଦିକା ସ୍ପାଇନାଲ ମସକ୍ୟୁଲାର ଏଟ୍ରୋଫି ଭଳି ବିରଳ ରୋଗରେ ପୀଡିତ, ଯେଉଁଥିରୁ ଆରୋଗ୍ୟ ମଧ୍ୟ ବିରଳ । ଏହାର ଚିକିତ୍ସା ବ୍ୟୟବହୁଳ । ତଥାପି ଝିଅକୁ ବଂଚାଇବାକୁ ପ୍ରାଣପଣେ ଚେଷ୍ଟା କଲେ ବାପା ସୌରଭ ସିଂଧେ । ସୋସିଆଲ ମିଡିଆରେ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ । ଦେଶ ବିଦେଶର ବିଦେଶର ହିତାକାାଂକ୍ଷିଙ୍କ ଠାରୁ ଯୋଗାଡ କଲେ ଟଙ୍କା ।ଆମେରିକାରୁ ଆସିଲା ଇଂଜେକ୍ସନ୍ । ଭାରତ ସରକାର ଏହା ଉପରୁ ଶୁଳ୍କ ବି ଛାଡ କଲେ ।

ଜୁନ୍ ୧୫ ତାରିଖରେ ପୁଣେ ସ୍ଥିତ ଦିନାନାଥ ମଙ୍ଗେସ୍କର ହସ୍ପିଟାଲରେ ଦିଆଗଲା ଇଂଜେକ୍ସନ୍ । ଏହାପରେ ଧିରେ ଧିରେ ସୁଧୁରିଲା ଦେବୀକାର ସ୍ୱାସ୍ଥ୍ୟ । କିନ୍ତୁ ବିଧିର ବିଧାନ କିନ୍ତୁ ଅଲଂଘ୍ୟ । ରବିବାର ହଠାତ୍ ବେଦୀକା ଅସୁସ୍ଥ ହୋଇପଡିବା ପରେ ଡାକ୍ତରଙ୍କ ଚେଷ୍ଟା ସତ୍ତେ୍ୱ ଚାଲିଗଲା ବେଦୀକାର ଜୀବନ ।ଏ ଖବର ତାର ଶୁଭେଚ୍ଛୁଙ୍କୁ ବ୍ୟଥୀତ କରିଛି । ଏନେଇ କିଛି ଶୁଭେଚ୍ଛୁ ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଉଥିବାବେଳେ ଏପରି ନକରିବାକୁ କିନ୍ତୁ ଅନୁରୋଧ କରିଛନ୍ତି ବେଦୀକାଙ୍କ ବାପା ।