ଗାଡି ଚାଳକଙ୍କ ପାଇଁ ଖୁସିଖବର : ଏପ୍ରିଲ ୧ରୁ ଭାରତରେ ମିଳିବ ବିଶ୍ୱର ସବୁଠୁ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ । ଜାଣନ୍ତୁ ଆପଣଙ୍କୁ କଣ ମିଳିବ ଫାଇଦା?

3,753

ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ବିଶ୍ୱର ସବୁଠୁ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ ଭାରତରେ ହିଁ ମିଳିବ । ଆସନ୍ତା ଏପ୍ରିଲ ୧ରୁ ଭାରତରେ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେବ । ଆଉ ଏହାସହ ଭାରତ ସେହି ଦେଶ ସହ ଯୋଡି ହୋଇଯିବ ଯେଉଁଠି ଶୁଦ୍ଧ ପେଟ୍ରୋଲ ଓ ଡିଜେଲର ବ୍ୟବହାର ହେଉଛି । ମାତ୍ର ୩ ବର୍ଷ ମଧ୍ୟରେ ଏଭଳି ତୈଳ ଯୋଗାଇବାରେ ସଫଳତା ହାସଲ କରିଛି ଭାରତ । ଏନେଇ ଇଣ୍ଡିଆନ ଅଏଲ କର୍ପୋରେସନ ଚେୟାରମ୍ୟାନ୍ ସଞ୍ଜୀବ ସିଂ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ୨୦୧୯ ଶେଷ ସୁଦ୍ଧା ସମସ୍ତ ତୈଳ ରିଫାଇନାରୀ ପ୍ଲାଣ୍ଟରୁ ବିଏସ-୬ ଯାନ ପାଇଁ ଉପଯୁକ୍ତ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ଆରମ୍ଭ ହୋଇଛି । ଏନେଇ ସଞ୍ଜୀବ ସିଂ କହିଛନ୍ତି, ବିଏସ-୬ ଉପଯୋଗୀ ଇନ୍ଧନ ଉତ୍ପାଦନ ପରେ ଏହାକୁ ଦେଶର ବିଭିନ୍ନ ତୈଳ ଭଣ୍ଡାର ଡିପୋକୁ ପଠାଯାଉଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ସ୍ୱଚ୍ଛ ଇନ୍ଧନ ଉପଲବ୍ଧ ହେବ । ଏହାସହ ସଞ୍ଜୀବ ସ୍ପଷ୍ଟ କରିଛନ୍ତି ଯେ, ୧ ଏପ୍ରିଲରୁ ଦେଶରେ ଶୁଦ୍ଧ ଡିଜେଲ ଓ ପେଟ୍ରୋଲ ଉପଲବ୍ଧ ହେବ ଯାହା ବିଏସ-୬ ମଡେଲର ଯାନ ପାଇଁ ଅନୁକୂଳ ହେବ ।

ସରକାରୀ ତୈଳ ବିଶୋଧନ କମ୍ପାନି ଏହି ନୂଆ ଶୁଦ୍ଧ ତୈଳ ପ୍ରସ୍ତୁତ କରିବାକୁ ପ୍ରାୟ ୩୫ ହଜାର କୋଟି ଟଙ୍କା ନିବେଶ କରିଛନ୍ତି । ବିଏସ-୬ ଅନୁକୂଳ ପେଟ୍ରୋଲ ଓ ଡିଜେଲରେ ସଲଫରର ମାତ୍ରା ପାଖାପାଖି ୧୦ ପିପିଏମ ରହିଥାଏ । ଏହା ସିଏନଜି ଭଳି ଶୁଦ୍ଧ ଇନ୍ଧନ ଯୋଗାଇଥାଏ । ଏହି ଇନ୍ଧନ ବ୍ୟବହାର କରିବା ଦ୍ୱାରା ପେଟ୍ରୋଲ ଚାଳିତ ଗାଡିରୁ ୨୫ ପ୍ରତିଶତ ଓ ଡିଜେଲ ଚାଳିତ କାରରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ନାଇଟ୍ରୋଜେନ ଅକ୍ସାଇଡ ଗ୍ୟାସ୍ ହ୍ରାସ କରାଯାଇପାରିବ ।

୨୦୧୦ରେ ଦେଶରେ ବିଏସ-୩ ଷ୍ଟାଣ୍ଡାର୍ଡ ଲାଗୁ କରାଯାଇଥିଲା । ସେହି ଅନୁଯାୟୀ ତୈଳ ମଧ୍ୟ ଉପଲବ୍ଧ ହେଉଥିଲା । ସେତେବେଳେ ମିଳୁଥିବା ପେଟ୍ରୋଲ ଓ ଡିଜେଲରେ ଏତେ ପରିମାଣରେ ଶୁଦ୍ଧତା ନଥିଲା । ସେହିଭଳି ବିଏସ-୩ରୁ ବିଏସ-୪ ଷ୍ଟାଣ୍ଡାର୍ଡରେ ପହଞ୍ଚିବାକୁ ୭ ବର୍ଷ ସମୟ ଲାଗିଥିଲା । ଆଉ ଏହାର ୩ ବର୍ଷ ପରେ ବିଏସ-୪ରୁ ବିଏସ-୬ ଉପଯୋଗୀ ଇନ୍ଧନ ଯୋଗାଇ ଦେବାକୁ ଯାଉଛନ୍ତି ସରକାର ।

ବିଏସ-୬ ଉପଯୋଗୀ ତୈଳ ଆଣିବା ପଛର ବଡ କାରଣ ହେଉଛି ବାୟୁ ପ୍ରଦୂଷଣକୁ ରୋକିବା । ଦେଶର କିଛି ବଡ ସହରରେ ଏବେ ବାୟୁ ପ୍ରଦୁଷଣର ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି । ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଏହି ବିଏସ-୬ ଉପଯୋଗୀ ଇନ୍ଧନ ବ୍ୟବହାର କରିବା ଦ୍ୱାରା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ କମାଯାଇପାରିବ ।

ପ୍ରଥମେ ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଅପ୍ରେଲ ୨୦୧୯ ସୁଦ୍ଧା ଶୁଦ୍ଧ ତୈଳ ଯୋଗାଇବାକୁ ଯୋଜନା କରାଯାଇଥିଲା । ସେହିଭଳି ପୂରା ଦେଶରେ ଏହାକୁ ଅପ୍ରେଲ ୨୦୨୦ ସୁଦ୍ଧା ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା । ତେବେ ବିଭିନ୍ନ ତୈଳ କମ୍ପାନି ୧ ଏପ୍ରିଲ ୨୦୧୮ରୁ ହିଁ ଦିଲ୍ଲୀ ଏନସିଆରରେ ଏହି ମାନର ତୈଳ ଯୋଗାଇବା ଆରମ୍ଭ କରିଛନ୍ତି । ସେହିଭଳି ୧ ଏପ୍ରିଲ ୨୦୧୯ରୁ ରାଜସ୍ଥାନର ୪ ଓ ଉତ୍ତରପ୍ରଦେଶର ୮ ଜିଲ୍ଲାରେ ମଧ୍ୟ ଏହି ମାନର ତୈଳ ଯୋଗାଇ ଦିଆଯାଉଛି । ୧ ଅକ୍ଟୋବର ୨୦୧୯ରୁ ହରିୟାଣାର ୭ ଜିଲ୍ଲାରେ ମଧ୍ୟ ଏହି ଇନ୍ଧନ ଯୋଗାଇ ଦିଆଯାଉଛି । ଭାରତ ବଜାରରେ ଉପଲବ୍ଧ ହେବାକୁ ଥିବା ବିଏସ-୬ ଉପଯୋଗୀ ତୈଳ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ମିଳିବ ନାହିଁ । ବାସ୍ ଏଭଳି ବିଶୁଦ୍ଧ ତୈଳ ପାଇବାକୁ ଗାଡି ଚାଳକଙ୍କୁ ଆଉ ମାତ୍ର କିଛି ଦିନ ଅପେକ୍ଷା କରିବାକୁ ପଡିବ ।