କନକ ବ୍ୟୁରୋ: ୨୨୫୩ ମସିହା ପର୍ଯ୍ୟନ୍ତ ବି ବିଶ୍ୱରୁ ଶେଷ ହେଇନଥିବ ଗରିବୀ । ଅର୍ଥାତ ୨୨୯ ମସିହା ପରେ ବି ବିଶ୍ୱରୁ ସମ୍ପୂର୍ଣ୍ଣ ଭାବେ ଗରିବୀ ହଟିନଥିବ । ଅକ୍ସଫାମ୍ ରିପୋର୍ଟରେ ଆସିଥିବା ଏହି ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ଦିନକୁ ଦିନ ଧନୀ ଓ ଗରିବଙ୍କ ଭିତରେ ଆର୍ଥିକ ଅସମାନତା ବଢିଚାଲିଥିବାବେଳେ, ଗରିବଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ବିଶ୍ୱରୁ ଗରିବୀ ହଟାଇବା ପାଇଁ ତମାମ ଦେଶର ନେତୃବୃନ୍ଦ ଚେଷ୍ଟା ଚଳାଇଛନ୍ତି । ହେଲେ ତା ସତ୍ତେ୍ୱ ବି ଅନେକ ଦେଶରୁ ଆଜି ବି ଗରିବୀ ହଟିପାରିନାହିଁ । ଗତ ୩ ବର୍ଷ ଭିତରେ ଧନୀଙ୍କ ଧନ ଦୁଇ ଗୁଣା ବୃଦ୍ଧି ପାଇଥିବାବେଳେ, ଗରିବଙ୍କ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ, ଦୁନିଆର ଟପ୍-୫ ଧନୀଙ୍କ ଅର୍ଥ ୨୦୨୦ ପରେ ଦୁଇଗୁଣା ବୃଦ୍ଧି ପାଇଛି । ଅନ୍ୟପଟେ ଏହି ସମୟ ମଧ୍ୟରେ ବିଶ୍ୱରେ ୫ ଅରବ ଲୋକ ଗରିବ ହେଇଯାଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଏହା ମଧ୍ୟ କୁହାଯାଇଛି ଯେ, ଆଗାମୀ ବର୍ଷ ଧନୀମାନଙ୍କର ବର୍ଷ ହେବାକୁ ଯାଉଛି । ଆଗାମୀ ୧୦ ବର୍ଷ ମଧ୍ୟରେ ବିଶ୍ୱକୁ ନିଜର ପ୍ରଥମ ଖରବପତି ମଧ୍ୟ ମିଳିପାରେ । ତେବେ ୫୨ଟି ଦେଶରେ ଥିବା ୮୦ କୋଟି ଲୋକଙ୍କ ଆୟରେ ପତନ ଘଟିିଛି । ଗତ ଦୁଇ ବର୍ଷ ଭିତରେ ୧.୫ ଟ୍ରିଲିୟନ୍ ଡଲାରର କ୍ଷତି ଘଟିଛି । ଅକ୍ସଫାମ ରିପୋର୍ଟ ମୁତାବକ, ଆଫ୍ରିକାରେ ସବୁଠୁ ଅଧିକ ଆର୍ଥିକ ଅସମାନତା ଦେଖିବାକୁ ମିଳିଛି ।