ଭାରତରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଖର୍ଚ୍ଚ ହୋଇଛି ୭୦୦ କୋଟି, ଏମିତି ନିର୍ମାଣ ହୋଇଛି ଯେ, ବର୍ଷା ଯୋଗୁଁ ମଧ୍ୟ ବନ୍ଦ ହେବନି ଖେଳ ।

5,203

କନକ ବ୍ୟୁରୋ : ଭାରତରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଗୁଜୁରାଟ ଅହମ୍ମଦାବାଦର ମୋଟେରାରେ ନିର୍ମିତ ହେଉଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମ । ଖୁବଶୀଘ୍ର ଏହି ଷ୍ଟାଡିୟମର ଉଦଘାଟନ ହେବାକୁ ଯାଉଛି । ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ଷ୍ଟାଡିୟମର ଉଦଘାଟନ କରିପାରନ୍ତି । ତେବେ ଉଦଘାଟନ ପୂର୍ବରୁ ଏହି ଷ୍ଟାଡିୟମକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଷ୍ଟାଡିୟମକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ଉଦଘାଟନ ପୂର୍ବରୁ ଏହି ଷ୍ଟାଡିୟମ ବାବଦରେ କିଛି ତଥ୍ୟ ଉପରେ ନଜର ପକାନ୍ତୁ ।

– ଏହି ଷ୍ଟାଡିୟମ ନିର୍ମାଣରେ ପାଖାପାଖି ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି
– ବିଶ୍ୱର ଏହି ବଡ ଷ୍ଟାଡିୟମ ନିର୍ମାଣ ପାଇଁ ପାଖାପାଖି ୩ ବର୍ଷର ସମୟ ଲାଗିଛି । ଜାନୁଆରୀ ୨୦୧୭ରେ ଏହି ଷ୍ଟାଡିୟମର କାମ ଆରମ୍ଭ ହୋଇଥିଲା ।୨୦୨୦ରେ ଏହି ଷ୍ଟାଡିୟମର କାମ ଶେଷ ପଯ୍ୟାୟରେ ପହଞ୍ଚିଛି ।
– ଏକକାଳୀନ ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ମ୍ୟାଚ୍ ଉପଭୋଗ କରିପାରିବେ । ମେଲବୋର୍ଣ୍ଣ ଷ୍ଟାଡିୟମର ଦର୍ଶକ କ୍ଷମତା ଠାରୁ ମଧ୍ୟ ଅଧିକ ଦର୍ଶକ ଏହି ଷ୍ଟାଡିୟମରେ ବସିପାରିବେ ।
– ଏହି ଷ୍ଟାଡିୟମରେ ଏତେ ସଂଖ୍ୟକ ଡ୍ରେସିଂ ରୁମ ରହିଛି ଯେ ଏକାଥରରେ ୪ଟି କ୍ରିକେଟ ଟିମ୍ ବ୍ୟବହାର କରିପାରିବେ ।
– ବିଶ୍ୱର ଏହି ବଡ ଷ୍ଟାଡିୟମରେ ୧୧ଟି ପିଚ୍ ରହିଛି । କଳା ଓ ଲାଲ ମାଟିରେ ଏହି ପିଚ୍ ଗୁଡିକୁ ପ୍ରସ୍ତୁତ କରାଯାଇଛି ।
– ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମକୁ ଆଲୋକିତ କରିବାକୁ ଏଲଇଡି ଫ୍ଲଡ ଲାଇଟର ବ୍ୟବହାର କରାଯାଇଛି । ବଡ କଥା ହେଲା ଏହି ଲାଇଟ ଗୁଡିକୁ ୯୦ ମିଟର ଉପରେ ଲଗାଯାଇଛି, ଯାହା ୨୫ ତାଲା ବିଲ୍ଡିଂ ସହ ସମାନ ।
– ବର୍ଷା କାରଣରୁ ଏହି ଷ୍ଟାଡିୟମରେ ବେଶି ସମୟ ପାଣି ଜମି ରହିବ ନାହିଁ । ଷ୍ଟାଡିୟମକୁ ଏମିତି କୌଶଳରେ ନିର୍ମାଣ କରାଯାଇଛି ଯାହାଦ୍ୱାରା ବର୍ଷା ହେଲେ ମାତ୍ର ୩୦ ମିନିଟ୍ ମଧ୍ୟରେ ଗ୍ରାଉଣ୍ଡକୁ ଖେଳ ଉପଯୋଗୀ କରାଯାଇପାରିବ ।
– ଏହି ଷ୍ଟାଡିୟମରେ କ୍ରିକେଟ ବ୍ୟତୀତ ଫୁଟବଲ, ହକି, କବାଡି, ଭଲିବଲ, ବାସ୍କେଟବଲ, ଟେନିସ ଓ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳାଯାଇପାରିବ ।
– ଷ୍ଟାଡିୟମରେ ମୁଖ୍ୟ ପିଚ୍ ବ୍ୟତୀତ ପ୍ରାକ୍ଟିସ ପାଇଁ ଅନ୍ୟ ଦୁଇଟି ଓ ଗୋଟିଏ ମଲ୍ଟି ସ୍ପୋଟର୍ସ ଗ୍ରାଉଣ୍ଡ ରହିଛି । ଏହାଛଡା ଷ୍ଟାଡିୟମ ଭିତରେ ଫିଜିଓ ଥେରାପି ସିଷ୍ଟମ ଓ ହାଇଡ୍ରୋଥେରାପି ସିଷ୍ଟମ ରହିଛି ଯାହାଦ୍ୱାରା ଆହତ ଖେଳାଳିଙ୍କୁ ଷ୍ଟାଡିୟମ ମଧ୍ୟରେ ହିଁ ଚିକିିତ୍ସା କରାଯାଇପାରିବ ।
– ଷ୍ଟାଡିୟମକୁ ଏଭଳି ଭାବରେ ନିର୍ମିତ କରାଯାଇଛି ଯେ, ଜଣେ ଖେଳାଳୀ ଛକା କିମ୍ବା ଚାରି ମାରିଲେ ଷ୍ଟାଡିୟମର ପ୍ରତିଟି ଦର୍ଶକ ଏହାକୁ ବେଶ ଆରାମରେ ଦେଖିପାରିବେ ।
– ଷ୍ଟାଡିୟମର ପାର୍କିଂ ବ୍ୟବସ୍ଥା କଥା ଯଦି କହିବା ତେବେ ଏହି ଷ୍ଟାଡିୟମରେ ଏକାସଙ୍ଗରେ ୪୦୦୦ କାର ଓ ୨୦୦୦୦ ବାଇକ୍ ପାର୍କିଂ କରିହେବ ।
– ଏହାଛଡା ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ଦ୍ୱାର ରଖାଯାଇଥିବା ବେଳେ ଯାତାୟତ ସୁବିଧା ପାଇଁ ଷ୍ଟାଡିୟମ ପାଖକୁ ମେଟ୍ରୋ ଲାଇନ ବିଛାଯାଇଛି ।

କ୍ରିକେଟ ପାଗଳ ଦେଶ ଭାରତ । ଏଠାରେ କ୍ରିକେଟକୁ ପୂଜା କରିଥାନ୍ତି ଲୋକେ । ଆଉ ଏଭଳି କ୍ରିକେଟପ୍ରେମୀଙ୍କ ପାଇଁ ଗୁଜୁରାଟରେ ଉଦଘାଟନ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ପୂର୍ବରୁ ବିଶ୍ୱର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ ପାଇଁ ଚର୍ଚ୍ଚାକୁ ଆସିଥିବା ଗୁଜୁରାଟ ଏବେ ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ପାଇଁ ଚର୍ଚ୍ଚାକୁ ଆସିବାକୁ ଯାଉଛି ।