ହଠାତ୍ ସହର ଭିତରକୁ ପଶିଆସିଲେ ମୂଷା ପଲ । କେହି କିଛି ବୁଝିବା ଆଗରୁ ରଚିଲେ ଆତଙ୍କ ।

381

କନକ ବ୍ୟୁରୋ : ସହରକୁ ହଠାତ୍ ପଶି ଆସିଲେ ମୂଷା ପଲ । ଆଉ କେହି କିଛି ବୁଝିବା ଆଗରୁ ସେମାନେ ଚାରିଆଡେ ପଶି ଆରମ୍ଭ କରିଦେଲେ ଆତଙ୍କ । ସେମିତିରେ ବି ଆମେ ସମସ୍ତେ ମୂଷାଙ୍କ ଆତଙ୍କ କଥା ଜାଣିଛେ, ଘରେ ମୂଷା ପଶିଲେ ସେମାନେ କେମିତି ଛିନଛତ୍ର କରିପକାନ୍ତି । ଖାଦ୍ୟ ଜିନିଷ ଠାରୁ ଆରମ୍ଭ କରି ବହି ଖାତା, ଲୁଗା ପଟା ସବୁକିଛିକୁ କାଟି ନଷ୍ଟ କରିଦିଅନ୍ତି । ହେଲେ ଏବେ ଆର୍ଜେଟିଣ୍ଟାରୁ ଆସିଥିବା ଏହି ଘଟଣା ଜାଣିଲେ ଦେହ ଶିହରି ଯିବ, ଆଉ ଆପଣଙ୍କ ମୁହଁରୁ ଆପେ ବାହାରି ଆସିବ, ବାପରେ ଏତେ ବଡ ବଡ ମୂଷା । ଏଇ ମୂଷା ଗୁଡିକ ଠିକ୍ ଘୁଷୁରୀ ପରି ଦେଖାଯାଉଛନ୍ତି, ହେଲେ ଏହି ମୂଷା ଗୁଡିକ ଏବେ ରାସ୍ତା ଘାଟ ଚାରିଆଡେ ବୁଲୁଛନ୍ତି । ହେଲେ କୁଆଡୁ ଆସିଲେ ଏହି ମୂଷା, ଏଠି କେମିତି ପହଁଚିଲେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏମାନେ ଲୋକମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ଆସିଛନ୍ତି । ନିଜ ଘରକୁ ଫେରେଇ ନେବାକୁ ଆସିଛନ୍ତି । ହୁଏତ ଏକଥା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏକଥା ସତ ।

ତେବେ ଘଟଣାଟି କିଛି ଏମିତି, ଆର୍ଜେଟିଣ୍ଟାର ରାଜଧାନୀ ନିକଟରେ ଥିବା ନରଡେଲଟା ସହରରେ ଏବେ ଆତଙ୍କ ଖେଳାଇଛନ୍ତି ଦୁନିଆର ସବୁଠୁ ବଡ ମୂଷା । କିଛି ଦିନ ଆଗରୁ ହଠାତ ସହରରେ ଏମାନେ ପଶିଗଲେ, ଆଉ ରାସ୍ତାରେ ୟାଡେ ସାଡେ ବୁଲିବା ଫଳରେ ଦୁର୍ଘଟଣା ମାନ ଘଟୁଛି, କେବଳ ସେତିକି ନୁହେଁ, ଏମାନେ ପାଳିତ ପଶୁମାନଙ୍କୁ ବି ଆକ୍ରମଣ କରୁଛନ୍ତି । ତେଣୁ ଶହ ଶହ ଏତେ ବଡ ମୂଷା ସହରରେ ପଶିଯିବାରୁ ଏବେ ଲୋକମାନେ କଣ କରିବେ ବୁଝି ପାରୁନାହାନ୍ତି ।

ଏହି ବଡ ମୂଷାଙ୍କୁ କେପିବରାସ କୁହାଯାଏ । ଏମାନଙ୍କ ଉଚ୍ଚତା ୪ଫୁଟ ଯାଏଁ ହୋଇଥାଏ ଓ ଏମାନଙ୍କ ଓଜନ ପାଖାପାଖି ୮୦ କିଲୋ । ତେବେ ଏମାନେ ଏମିତି ସହରରେ ବୁଲିକି ଏମିତି ହିଂସ୍ର କାହିଁକି ହେଇଯାଇଛନ୍ତି । ଏନେଇ ପରିବେଶବିତ କହିଛନ୍ତି କି ଆଗରୁ ଏହି ସ୍ଥାନଟି ଜଙ୍ଗଲ ଥିଲା, ପାଖରେ ନଦୀ ଥିଲା, ଶାନ୍ତ ଓ ସୁନ୍ଦର ପରିବେଶରେ ଏହି ଜୀବମାନେ ରହୁଥିଲେ । ଏମାନେ କାହାର କିଛି କ୍ଷତି କରୁନଥିଲେ, କିନ୍ତୁ ଏହି ସ୍ଥାନ ଉପରେ କିଛି ବିଲଡରସଙ୍କ ନଜର ପଡିଲା, ସେମାନେ ଏହି ସ୍ଥାନରେ ଶହ ଶହ ଡଲାର ଖର୍ଚ୍ଚ କରି ନୂଆ ପ୍ରୋଜେକ୍ଟ ଆରମ୍ଭ କରିଦେଲେ ।

ସହରର କୋଳାହଳ ଠାରୁ ଟିକେ ଦୂରରେ ଏମିତି ଶାନ୍ତ ପରିବେଶରେ ଲୋକଙ୍କୁ ଘର ଦେବାକୁ ନିର୍ମାଣକାରୀ ସଂସ୍ଥା ମାନେ ନୂଆ ଯୋଜନା ଆରମ୍ଭ କଲେ, ଏହାପରେ ସେମାନେ ଏହି ସ୍ଥାନରେ ରହୁଥିବା ଏହି କେପିବରାସ ଗୁଡିକୁ ହଟାଇଦେଲେ । ଫଳରେ ଏମାନେ ନିଜ ବାସସ୍ଥାନ ହରାଇଲେ, ଆଉ ଏଠାରେ ଏହି ଜନବସତି ଗଢିଉଠିଲା । କିନ୍ତୁ ଏହି କେପିବରାସ ମାନେ ନିଜ ଘରକୁ ଭୁଲିପାରିନାହାନ୍ତି । ପରିବେଶବିତଙ୍କ କହିବା କଥା କି, ଏମାନଙ୍କ ବାସସ୍ଥାନରୁ ଏମାନଙ୍କୁ ତଡି ଦେଇଥିବାରୁ ଏମାନେ ହିଂସ୍ର ହୋଇଉଠିଛନ୍ତି । ଆଉ ଶହ ଶହ ସଂଖ୍ୟାରେ ଦଳ ଦଳ ହୋଇ ସହରରେ ପ୍ରବେଶ କରିଛନ୍ତି । ଯାହାକି ଲୋକଙ୍କ ପାଇଁ ଏବେ ମୁଣ୍ଡବିନ୍ଧା ସାଜିଛି ।