ବିଶ୍ୱରେ ପ୍ରବାହିତ ହେଉଥିବା ନଦୀମାନଙ୍କ ମଧ୍ୟରୁ ଗଙ୍ଗାନଦୀର ଜଳ ଅତିମାତ୍ରାରେ ପ୍ରଦୂଷିତ ବୋଲି ସୂଚନା ଦେଲା ଡବ୍ଲୁ ଡବ୍ଲୁ ଏଫ୍

60

କନକ ବ୍ୟୁରୋ : ଭାରତରେ ଗଙ୍ଗା ନଦୀକୁ ଅତି ପବିତ୍ର ନଦୀ ଭାବରେ ମନା ଯାଇଥାଏ । ତେବେ ହିନ୍ଦୁ ଧର୍ମର ବିଶ୍ୱାସ ରହିଛି କି ଗଙ୍ଗା ନଦୀ ମହାଦେବଙ୍କ ଜଟାରୁ ବାହାରିଛି । ତେଣୁ ଅନେକ ସମୟରେ ହିନ୍ଦୁମାନେ ଏହି ପୁଣ୍ୟତୟା ନଦୀରେ ସ୍ନାନ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ମଧ୍ୟ କରନ୍ତି । ତେବେ ଦିନକୁ ଦିନ ନଦୀରେ ଅଳିଆ ଆବର୍ଜନା ବୃଦ୍ଧି ହେବା କାରଣରୁ ୨୦୧୪ମସିହାରେ ଯେତେବେଳେ କେନ୍ଦ୍ରରେ ମୋଦି ସରକାର ଆସିଲେ ତାହା ପରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅପରିଷ୍କାର ମୁକ୍ତ କରିବା ପାଇଁ ଘୋଷଣା କଲେ । ଗଙ୍ଗା ଦେଶର ବୃହତ୍ତମ ନଦୀର ମାନ୍ୟତା ମଧ୍ୟ ପାଇଛି । ମୋଟ ଉପରେ ୨୦୭୧ କିଲୋମିଟର ବହିଛି ଏହି ନଦୀ ।

ତେବେ ବର୍ତ୍ତମାନ ସମୟରେ ଯେଉଁ ଖବର ମିଳିଛି ତାହା ସମସ୍ତଙ୍କୁ ଚକିତ କରିଛି । ମିଳିଥିବା ସୂଚନା ଅନୁସାରେ ବିଶ୍ୱରେ ଥିବା ନଦୀ ଗୁଡିକ ମଧ୍ୟରୁ ଗଙ୍ଗାନଦୀର ଜଳ ଏବେ ସଙ୍କଟଗ୍ରସ୍ତ ବୋଲି ଡବ୍ଲୁ ଡବ୍ଲୁ ଏଫ୍ ସୂଚନା ଦେଇଛି । ଏହାସହ ଦିନକୁ ଦିନ ନଦୀର ପାଣି ଅଧିକ ଦୂଷିତ ହେଉଥିବା ସେ କହିଛି । ଉତ୍ତରାଖଣ୍ଡର ହିମାଳୟଠାରୁ ପଶ୍ଚିମବଙ୍ଗର ସୁନ୍ଦରବନ ପର୍ଯ୍ୟନ୍ତ ଏହି ନଦୀ ଲମ୍ବିଛି । ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ବହିଯାଇଛି ଏହି ବିଶାଳକାୟ ନଦୀ । କେବଳ ଏତିକି ନୁହେଁ ବରଂ ଅନେକ ଶାଖା ନଦୀରେ ମଧ୍ୟ ପାଣି ଯୋଗାଉଛି ଏହି ନଦୀ । ତେବେ ଗଙ୍ଗା ନଦୀର ପ୍ରମୁଖ ଶାଖା ନଦୀ ଭାବରେ ଯମୁନା ରହିଛି । ତେବେ ଲୋକମାନେ ଏହି ପବିତ୍ର ନଦୀରେ ନିଜ ଘରର ଅଳିଆ ଆଦି ବର୍ଜ୍ୟବସ୍ତୁ ପକାଉଥିବାରୁ ଦିନକୁ ଦିନ ଏହାର ପରିସ୍ଥିତି ଗମ୍ଭୀର ହୋଇପଡିଛି ବୋଲି ଜଣାପଡିଛି । ଗଙ୍ଗା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଦେଖାଯାଇଛି ।

 

ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଗଙ୍ଗାନଦୀ ହୃଷିକେଶଠାରୁ ହିଁ ପ୍ରଦୂଶିତ ହେବାରେ ଲାଗିଛି । ଏହାସହ ମିଳିଥିବା ସୂଚନା ଅନୁସାରେ ନଦୀ ଉତ୍ତରପ୍ରଦେଶର କାନପୁରପରେ ହିଁ ଅଧିକ ଦୂଷିତ ହୋଇଛି । ହୃଷିକେଶଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଅନେକ କଳକାରଖାନାର ବିଶାକ୍ତ ଦଳ ଏହି ନଦୀରେ ମିଶୁଥିବାରୁ ଏପରି ପରିସ୍ଥିତି ହୋଇଥିବା ଜଣାପଡିଛି । ତେବେ ଯେଉଁ ପରିମାଣରେ ଗଙ୍ଗାଜଳ ବିଶାକ୍ତ ହେବାରେ ଲାଗିଛି ତାହକୁ ସ୍ୱଚ୍ଛ କରିବାରେ ମଧ୍ୟ ଅନେକ ସମୟ ଲାଗିବ ବୋଲି ଡବ୍ଲୁ ଡବ୍ଲୁ ଏଫ୍ କହିଛି । ଏହାସହ ଏଥିରେ କୁହାଯାଇଛି ଯେ, ଲୋକମାନେ ସଚେତନତା ହେଉନାହାନ୍ତି ଯେଉଁଥି ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବେଳ ଥାଉ ଥାଉ ଏପରି ଗୁରୁତ୍ୱ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଚିନ୍ତା କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି ।