ଜଳ ଜୀବନ ନା ଯନ୍ତ୍ରଣା ? ରାତି ପାହିଲେ ପାଣି ପାଇଁ ଚାଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ଖରା ବଢିଲେ ଟୋପେ ପାଣି ପାଇଁ ଆଉଟୁ ପାଉଟୁ ଲୋକେ ।

200

କନକ ବ୍ୟୁରୋ: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ସୃଷ୍ଟିର ଆଧାର ଜଳ । ଜଳ ବିନା ଜଗତର ମାନେ ନାହିଁ । ଜୀବନଜନ୍ତୁ ସମସ୍ତେ ଜଳ ପାଇଁ ହିଁ ବଞ୍ଚି ରହିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଜଳକୁ ଜୀବନ କହୁଥିବା ଜୀବମାନେ ଜଳର ମୂଲ୍ୟ ବୁଝୁନାହାନ୍ତି । ଜଳର ଅପଚୟ କରୁଛନ୍ତି, ଜଳକୁ ବିଶାକ୍ତ କରୁଛନ୍ତି ଯାହା ଜୀବନ ପାଇଁ ବୁମେରାଂ ସାଜୁଛି । କେଉଁଠି ପାନୀୟ ଜଳରେ ରାସାୟନିକ ପଦାର୍ଥ ମିଶୁଛି ତ କେଉଁଠି ଅଳିଆ ଆବର୍ଜନା ନଦନଦୀକୁ ବିଷ ଜଳରେ ପରିଣତ କରୁଛି । ଜଳ ସଞ୍ଚୟ ପାଇଁ ସାରା ବିଶ୍ୱରେ ସଚେତନତା ହେଉଥିଲେ ହେଁ ପାଣିର ମୂଲ୍ୟ କେହି ବୁଝୁ ନାହାନ୍ତି । ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଉଛି ଆଉ ଚଳିତ ବର୍ଷ ଥିମ ରହିଛି ଜଳର ମୂଲ୍ୟ । ଆଜି ବିଶ୍ୱ ଜଳ ଦିବସ । ଜଳ ସଂରକ୍ଷଣ, ଜଳର ସ୍ୱଚ୍ଚତା ପାଇଁ କେତେ କେତେ କାର୍ଯ୍ୟକ୍ରମ ହେବ । ସୋସିଆଲ ମିଡିଆରେ ସେଭ ୱାଟର, ଭଳି ଅନେକ ହାସଟ୍ୟାଗରେ ନାରା ବି ଦିଆଯିବ । ସରକାର ଜଳକୁ ନେଇ ନିଜ ସଫଳତା କହିବେ । ହେଲେ ସବୁପରେ ଜଳ ଯନ୍ତ୍ରଣାର ଚିତ୍ର ଏ ଦେଶରୁ ଯିବନି, ବିଶ୍ୱରୁ ଲିଭିବନି । ଖାଲି ଗ୍ରୀଷ୍ମ ଦିନରେ ନୁହେଁ ରାଜ୍ୟ, ଦେଶର ଅନେକ ସ୍ଥାନ ଅଛି ଯେଉଁଠି ପାଣି ଟୋପେ ମିଳିବା ସାତ ସପନ । ଜଳ ସେମାନଙ୍କ ପାଇଁ ଜୀବନ ନୁହେଁ ପାଲଟେ ଯନ୍ତ୍ରଣାର ନାଁ…

ଯାଜପୁରରୁ ଛତ୍ରପୁର, କାମାକ୍ଷାନଗରରୁ ସୁନ୍ଦରଗଡ । ସବୁଠି ଜଳ ପାଇଁ ଯନ୍ତ୍ରଣା, ପାଣି ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ । ରାତି ପାହିଲେ ଲୋକେ ପାଣି ପାଇଁ ହୁଅନ୍ତି ହନ୍ତସନ୍ତ । ସକାଳ ହେବା କ୍ଷଣି ହିଁ ଆରମ୍ଭ ହୋଇଯାଏ ଟୋପେ ପାଣି ପାଇଁ ନାହିଁ ନଥିବା ସଙ୍ଘର୍ଷ । ଜଳ ପାଇଁ କେଉଁଠି ଲୋକେ ମାଇଲ ମାଇଲ ବାଟ ପାଦରେ ଚାଲି ଚାଲି ଯାଆନ୍ତି ତ କେଉଁଠି ଲୋକେ ପାହାଡ ଖୋଲରେ ଥିବା ଚୁଆରୁ ପାଣି ପିଅନ୍ତି । ତା ଆଉ କେଉଁଠି ଜଳ ଷୋଷ ମେଣ୍ଟାଇବାକୁ ଲମ୍ବା ଲାଇନ ଲଗାଇ ଝାଳ ବୁହାନ୍ତି ମହିଳାମାନେ । ବର୍ଷ ତମାମ ଉକ୍ରଟ ଜଳ ସମସ୍ୟାର କାହାଣୀ ସାରା ରାଜ୍ୟରୁ ଆସେ ଆଉ ଆମେ ତାକୁ ଗଣମାଧ୍ୟମରେ ପ୍ରସାରଣ କରୁ । କେଉଁଠି ସରକାର ସଙ୍ଗେ ସଙ୍ଗେ ଆକ୍ସନ ନିଅନ୍ତି ତ କେଉଁଠି ସରକାର ପହଞ୍ଚି ପାରନ୍ତିନି । ଯେଉଁଥିପାଇଁ ଲୋକେ ଅଭିଶପ୍ତ ଇଲାକାର ମଣିଷ ଭାବି ମୁଣ୍ଡପାତି ଜଳ ସମସ୍ୟା ସହ ଜୁଝି ହୁଅନ୍ତି ।

ଗତ କିଛି ଦିନ ତଳେ ଗଞ୍ଜାମରୁ ଆସିଥିବା ଜଳ ଯନ୍ତ୍ରଣାର କାହାଣୀ ସାରା ରାଜ୍ୟକୁ ଚକିତ କରିଥିଲା । ଯେଉଁଠି ପାଣି ଟୋପେ ପାଇଁ ଲଟେରୀ ଲାଗୁଥିଲା । ଲଟେରୀ ଉଠିଲେ ପାଣି ମିଳିବ । କାଗଜରେ ଯାହା ନାଁ ପଡିବ ତା ଭାଗ୍ୟରେ ପାଣି ମିଳିବ । ଜଳ ପାଇଁ ଏମିତି ଚିତ୍ର ସମସ୍ତଙ୍କୁ ଅବାକ୍ କରିଥିଲା । ସେପଟେ ଖରା ଆସୁ ଆସୁ ଶୋଷରେ ସୁନ୍ଦରଗଡର ନନିଜୋର ବାସୀ । ନଳକୂପକୁ ଯେତେ ଜୋରରେ ମାଡିଲେ ବି ପାଣି କିନ୍ତୁ ଟିକେ ଅଧିକ ବାହାରୁନି । ପାଣିର ଅଭାବ ଥିବା ଗାଁ ଲୋକେ ବଣରେ ଚାଲିଚାଲି ଗାଁ ପାଖ କୂଅରୁ ପାଣି ଆଣୁଛନ୍ତି । ଖୋଲାମେଲାରେ ପଡିଥିବା ପାଣି ବିପଦଭରା ଥିଲେ ବି ବାଧ୍ୟ ହୋଇ ପିଉଛନ୍ତି । ସବୁଠାରୁ ବଡ କଥା ଜଳ ସମସ୍ୟା ପାଇଁ ଏଠାକାର ଲୋକେ ୨ରୁ ୩ ଦିନ ନଗାଧୋଇବାକୁ ବାଧ୍ୟ ହୁଅନ୍ତି ।

ସରକାର ପାନୀୟ ଜଳ ପାଇଁ କାହିଁ କେତେ ଯୋଜନା କରୁଛନ୍ତି । ବିଶୁଦ୍ଧ ପାଣି ପାଇଁ ରାଜ୍ୟ ସରକାର ବସୁଧା ଯୋଜନା କରୁଥିଲେ ବି ଅନେକ ଅଞ୍ଚଳରେ ଏହା ଅପହଞ୍ଚ ଥିବା ବେଳେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ଯାହା ସରକାରଙ୍କ ଯୋଜନା ନେଇ ବଡ ବଡ ବ୍ୟାନର, ବଡ ବଡ ପ୍ରକଳ୍ପକୁ ଅଟହାସ୍ୟ କରୁଛି । ଯେଉଁ ଅଞ୍ଚଳରେ ପାଣି ନାହିଁ ସେଠାରେ ଜଳର ମୂଲ୍ୟ ଅନେକ । ତେଣୁ ବିଶ୍ୱ ଜଳ ଦିବସରେ ଆସନ୍ତୁ ଜଳର ମୂଲ୍ୟ ବୁଝିବା ଆଉ ଅଯଥାରେ ଜଳ ଅପଚୟ ନକରି ସଂରକ୍ଷଣ କରିବା । କିଏ କହିବ ଜଳସଙ୍କଟ ପାଇଁ ଦିନେ ବିଶ୍ୱରେ ହାହାକାର ପଡିପାରେ…