ଭାରତରେ ପର୍ଯ୍ୟଟକଙ୍କ ପାଇଁ ବେଶ ନିଆରା ଏହିସବୁ ସ୍ଥାନ, ବୁଲିଆସିଲେ ହୃଦୟକୁ ମିଳିଥାଏ ଅପାର ଶାନ୍ତି

168

କନକ ବ୍ୟୁରୋ : ଜୀବନ ବାସ୍ତବରେ ବ୍ୟସ୍ତତା ଭିତରେ କଟିଥାଏ । ସେ ଯେଉଁ ବୃତ୍ତିର ମଣିଷ ହୋଇଥାନ୍ତୁ ନା କାହିଁକି ଜୀବନରେ ଜଞ୍ଜାଳ ହିଁ ଦୁଖର ଏକ ପ୍ରମୁଖ କାରଣ ହୋଇଥାଏ । ଏହାକୁ କମ୍ କରିବା ପାଇଁ ମଣିଷ ଅନେକ ସମୟରେ ବୁଲାବୁଲି କରିବାକୁ ପସନ୍ଦ କରିଥାଏ । ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ହୋଇଥିବାରୁ ଆମେ ଆପଣଙ୍କୁ ଭାରତର କିଛି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବାବଦରେ ଜଣାଇବାକୁ ଚାହୁଁଛୁ ।

ମଣିଷ ଜୀବନର ବୃତିଗତ ଓ ବ୍ୟକ୍ତିଗତ ସମସ୍ୟା ବହୁତ ରହିଥାଏ । ଏଭଳି ସମସ୍ୟାରୁ କିଛିଟା ମୁକ୍ତି ପାଇବାକୁ ହେଲେ ଟିକେ ବୁଲାବୁଲି କରିବା ନିହାତି ଜରୁରି । କାରଣ ବୁଲାବୁଲି କରିବା ଓ ଖୁସି ରହିବା ଏକ ପ୍ରକାର ଔଷଧ ଭଳି କାମ କରିଥାଏ । ବୁଲାବୁଲି କରିବା ଦ୍ୱାରା କେବଳ ମାନସିକ ଶାନ୍ତି ମିଳିନଥାଏ ବରଂ ହୃଦୟକୁ ମଧ୍ୟ ଖୁସିରେ ଭରିଦେଇଥାଏ ।

ସାରା ଦେଶରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ଯେଉଁଠିକୁ ଗଲେ ଆପଣ ଫେରିବାକୁ ଇଚ୍ଛା କରିବେ ନାହିଁ । ଆପଣ ଚାହିଁଲେ ଗୋଆ, ମନାଲି, ଡେରାଡୁନ, କେରଳ କିମ୍ବା ଉତ୍ତରାଖଣ୍ଡ ଯାଇ ସେଠାରେ ଥିବା ମନୋରମ ପର୍ଯ୍ୟଟନସ୍ଥଳୀ ବୁଲିପାରିବେ । ହେଲେ ଲଦାଖରେ ଥିବା ସ୍ପିତିବାଲି ଏକ ନିଆରା ପର୍ଯ୍ୟଟନସ୍ଥଳୀ ।

ସ୍ପିତିବାଲି : ବରଫକୁ ଭଲ ପାଉଥିବା ଲୋକଙ୍କ ପାଇଁ ଲଦାଖ ସ୍ପିତିବାଲି ସ୍ୱର୍ଗଭଳି ଲାଗିବ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟତା ଦେଖିବା ପରେ ଆପଣଙ୍କ ମନ ଶାନ୍ତିରେ ଭରିଯିବ । ଆପଣ କାର, କିମ୍ବା ବାଇକରେ ଯାଉଥିବା ବେଳେ ଏହି ମନୋରମ ଦୃଶ୍ୟର ମଜା ନେଇପାରିବେ । ଏଠାରେ ପାହାଡ ଉପରେ ପଡିଥିବା ବରଫର ସୌନ୍ଦର୍ଯ୍ୟ ସହ ପ୍ରାଚୀନ ମଠ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।

ଓଟି: ଦକ୍ଷିଣ ଭାରତରେ ଅନେକଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି । ସେମାନଙ୍କ ମଧ୍ୟରୁ ଓଟି ଅନ୍ୟତମ । ଏଠିକାର ସବୁଜିମା ଓ ପର୍ବତୀୟ ସୌନ୍ଦର୍ଯ୍ୟତା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଓଟି ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ କଲହଟ୍ଟି ଫଲ ବୁଲିଯିବା ନିହାତି ଆବଶ୍ୟକ ।

ଉଦୟପୁର : ରାଜସ୍ଥାନର ଏହି ସହରକୁ ରାଜ୍ୟର ଜୀବନ ବୋଲି କୁହାଯାଏ । ଏହି ସହର ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାରେ ଥିବା ସୁନ୍ଦର ସୁନ୍ଦର ପାହାଡ, ପୁରୁଣା ମହଲ ଓ ସ୍ୱାଦିଷ୍ଟ ଖାଦ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସିଟି ପାଲେସ, ସଜ୍ଜନଗଡ ପାଲେସ ଭଳି ମହଲ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଦିନରେ ମହଲଗୁଡିକର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ରାତିରେ ପାହାଡର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି ପର୍ଯ୍ୟଟକମାନେ ।