କନକ ବ୍ୟୁରୋ: ବିଶ୍ୱ ଦେଖିବ ଆବୁଧାବିରେ ନିର୍ମିତ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିର । ୟୁଏଇ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ଏହି ଭବ୍ୟ ମନ୍ଦିରର ଉଦଘାଟନ କରିବେ ।

ସ୍ଥାନୀୟ ସମୟ ଅନୁସାରେ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୭ଟା ଭିତରେ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ମଙ୍ଗଳବାର ୟୁଏଇରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍-ନାହୟାନ୍ । ଆଉ ଏହି ଅବସରରେ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ‘ଅହଲାନ ମୋଦୀ’ କାର୍ଯ୍ୟକ୍ରମରେ ୬୫ହଜାର ଭାରତୀୟ ସମୁଦାୟଙ୍କ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଆମ ସମ୍ପର୍କ ହେଉଛି ପ୍ରତିଭା, ନବସୃଜନ ଏବଂ ସଂସ୍କୃତିର ସମ୍ପର୍କ । ଅତୀତରେ ଆମେ ପ୍ରତ୍ୟେକ ଦିଗରେ ଆମ ସମ୍ପର୍କକୁ ପୁନର୍ବାର ଉଜ୍ଜୀବିତ କରିଛୁ ।

ଆଜି ୟୁଏଇ ହେଉଛି ଭାରତର ତୃତୀୟ ବୃହତମ ବାଣିଜ୍ୟକ ସହଯୋଗୀ । ଆଗାମୀ ଦିନରେ ୟୁଏଇ ସହ ଏହି ସମ୍ପର୍କ ଜାରି ରହିବ ବୋଲି ମୋଦୀ କହିଛନ୍ତି । ସୂଚନା ଅନୁସାରେ, ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରଠାରୁ ମୋଦୀ ସପ୍ତମଥର ପାଇଁ ୟୁଏଇ ଗସ୍ତ କରିଛନ୍ତି । ଆଉ ସେହି ସମୟରେ ଏହି ମନ୍ଦିରର ପରିକଳ୍ପନା କରିଥିଲେ ମୋଦୀ । ୨୦୧୫ ଗସ୍ତ ପରେ ୟୁଏଇ ସରକାର ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୧୩.୫ ଏକର ଜମି ପ୍ରଦାନ କରିଥିଲେ । ପରେ ୨୦୧୯ ‘ସହନଶୀଳତା ବର୍ଷ’ରେ ଆଉ ୧୩.୫ ଏକର ଜମି ଆବଣ୍ଟନ କରିଥିଲେ । ଫଳରେ ମନ୍ଦିର ପାଇଁ ସମୁଦାୟ ୨୭ ଏକର ଜମି ମିଳିଥିଲା ।