ସାରା ବିଶ୍ୱକୁ ସାଙ୍ଘାତିକ ପରିସ୍ଥିତି ଆଡକୁ ନେଉଛି କି କରୋନା? ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା, ଅପ୍ରେଲ ୧୫ ଯାଏଁ ଟୁରିଷ୍ଠ ଭିସା ଉପରେ ଲାଗିଲା ରୋକ

153

କନକ ବ୍ୟୁରୋ : କରୋନା ଭୂତାଣୁ ବିଶ୍ୱର ୧୦୦ରୁ ଅଧିକ ଦେଶକୁ ବ୍ୟାପିଗଲଣି, ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଛି । ଆଉ ଏପଟେ ଭାରତରେ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ଭାରତରେ ୬୦ରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବୁଧବାର କେରଳରେ ୮ ଜଣ ସନ୍ଦିଗ୍ଧଙ୍କ ପଜିଟିଭ୍ ରିପୋର୍ଟ ଆସିଛି । ଏଥିସହ କେରଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ଛୁଇଁଛି । ମହାରାଷ୍ଟ୍ରରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ପୁଣେରେ ଆଠ ଆକ୍ରାନ୍ତ, ମୁମ୍ବାଇରେ ୨ ଓ ନାଗପୁରରେ ଜଣକର ପଜିଟିଭ ରିପୋର୍ଟ ଆସିଛି । ସେହିପରି ଦିଲ୍ଲୀ ଓ ରାଜସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାଛଡା ଜୟପୁରରେ ୧୮ ଜଣ ଆକ୍ରାନ୍ତ ଓ ଲଦାଖରେ ୨ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଇଛି । କର୍ଣ୍ଣାଟକରେ ୪ଜଣ, ପଂଜାବ ଅମୃତସରରେ ୨ ଜଣ ଓ ୟୁପିରେ ୯ଜଣଙ୍କ ସାମ୍ପୁଲ ପଜିଟିଭ ଆସିଥିବା ବେଳେ ୭୭ଜଣ ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି । ଭାରତ ସରକାର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତ ଆସୁଥିବା ବ୍ୟକ୍ତିଙ୍କ ଭିସା ଉପରେ ଅପ୍ରେଲ ୧୫ ତାରିଖ ଯାଏଁ ରୋକ ଲଗାଇଛନ୍ତି । ରାଷ୍ଟ୍ରଦୂତ, ଜାତିସଂଘ ଓ ଅନ୍ତର୍ଜାତୀୟ ସଂଗଠନ ସହ ସଂପୃକ୍ତି ବ୍ୟକ୍ତିଙ୍କ ଭିସାକୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରକାର ଭିସା ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ଭିସା ଉପରେ ରୋକ ଅବଧି ମାର୍ଚ୍ଚ ୧୩ରୁ ଅପ୍ରେଲ ୧୫ ତାରିଖ ଯାଏଁ ଲାଗୁ ହେବ । ଏହାଛଡା ବିଦେଶ ଯାତ୍ରା ନକରିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।