କନକ ବ୍ୟୁରୋ : ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍ରେ ଏବେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି। ବ୍ରାଜିଲ୍ରେ କରୋନା ମୃତ୍ୟୁସଂଖ୍ୟା ଚୀନ୍କୁ ଟପିଯାଇଛି। ବ୍ରାଜିଲ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁସଂଖ୍ୟା ୫ ହଜାର ୧୦୭ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବ୍ରାଜିଲ୍ରେ ୭୧ ହଜାର ୮୮୬ରେ ପହଞ୍ଚିଛି। ଅନ୍ୟପକ୍ଷେ ଚୀନ୍ରେ ମୃତ୍ୟୁସଂଖ୍ୟା ୪,୬୦୦ ରହିଛି। ତେବେ ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବ୍ରାଜିଲ୍ରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ କାରଣ ୧୧୫୬ଟି ମୃତ୍ୟୁ ଏବେ ତଦନ୍ତାଧୀନ ରହିଛି।
ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ବ୍ରାଜିଲ୍ରେ ମାମଲା ବାସ୍ତବ ମାମଲାଠାରୁ ୧୨ରୁ ୧୫ ଗୁଣା ଅଧିକ ହୋଇଥିବ। ବ୍ରାଜିଲ୍ରେ ଅନେକ ରୋଗୀ ଚିହ୍ନଟ ହୋଇପାରୁନାହାନ୍ତି ଏବଂ ଦେଶରେ ଟେଷ୍ଟିଂ ବି ଠିକ୍ ନଥିବାରୁ ମାମଲା ଅଧିକ ହୋଇଥିବ ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି। ଅନ୍ୟପକ୍ଷେ ଇରାନ୍ରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ୯୫୭ରେ ପହଞ୍ଚିଛି। ଇରାନ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ବବ୍ୟାପୀ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୫୦ ହଜାର ୪୭୮ରେ ପହଞ୍ଚିଛି ଏବଂ ୨ ଲକ୍ଷ ୧୮ ହଜାର ୪୬୬ ଜଣଙ୍କ ମୃତ୍ୟୁ ହୋଇଛି।
ଆମେରିକାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ଟପିଛି। ୧୮ ଦିନରେ ଆମେରିକାରେ ମାମଲା ଦ୍ବିଗୁଣ ହୋଇଛି। ଆମେରିକାରେ ୧୦ ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ୫୯ ହଜାର ୨୬୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆମେରିକାରେ ସମୁଦାୟ ମାମଲାର ୩୦ ପ୍ରତିଶତ ନ୍ୟୁୟର୍କରେ ରହିଛି। ଏହାପଛକୁ ନ୍ୟୁଜର୍ସି, ମାସାଚୁସେଟ୍ସ, କାଲିଫର୍ଣ୍ଣିଆ ଏବଂ ପେନସିଲଭାନିଆରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଗତ କିଛି ବର୍ଷ ମଧ୍ୟରେ ଋତୁକାଳୀନ ସଂକ୍ରମଣ ତୁଳନାରେ ଆମେରିକାରେ କରୋନା ଯୋଗୁଁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨୦୦ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଜର୍ମାନୀରେ ବି ମୃତ୍ୟୁସଂଖ୍ୟା ୬,୦୦୦ ଟପିଛି। ସ୍ପେନ୍ରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ନୂଆ ମାମଲା ରିପୋାର୍ଟ କରାଯାଇଛି। ଏଥିସହ ସ୍ପେନ୍ରେ ମୃତ୍ୟୁସଂଖ୍ୟା ୨୪ ହଜାର ଟପିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୧୨୮ ରହିଛି। ଚୀନ୍ରେ ବି ୨୨ ଟି ନୂଆ ମାମଲା ସ୍ପଷ୍ଟ ହୋଇଛି। ଇଟାଲିରେ ମୃତ୍ୟୁସଂଖ୍ୟା ୨୭ହଜାର ୩୫୯ ରହିଛି ଏବଂ ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୨୩ ହଜାର ୬୬୦ରେ ପହଞ୍ଚିଛି।