କାବୁଲକୁ ଥରାଇଲା ଆଇଏସଆଇଏସ-କେ, ସାରା ବିଶ୍ୱକୁ ଡରାଇବା ଚେଷ୍ଟାରେ ସଂଗଠନ, ଏଯାଏଁ କଲାଣି ଶତାଧିକ ଆକ୍ରମଣ

178

କନକ ବ୍ୟୁରୋ: ଥରିଲା କାବୁଲ । ଚାରିଆଡେ ଚିକ୍ରାରର ସ୍ୱର, ରକ୍ତ ଜୁଡୁବୁଡୁ ଯାତ୍ରୀ । ଯୁଆଡେ ଗଲେ ଯମର ମରଣ ଜନ୍ତା । ଗୋଟେପଟେ ତାଲିବାନ ଆଉ ଗୋଟେପଟେ ଆଇଏସଆଇଏସର ଆକ୍ରମଣ । ଜୀବନ ମୃତ୍ୟୁର ଦୋଛକିରେ ତ୍ରାହି ତ୍ରାହି ଆଫଗାନିସ୍ତାନ ପ୍ରବାସୀ । ପ୍ରଶ୍ନ ଉଠୁଛି କିଏ ଏହି ଆଇଏସଆଇଏସ-କେ? କ’ଣ ଏହାର ଉଦ୍ଦେଶ୍ୟ?

ଏହାର ପୁରା ନାଁ ଆଇଏସଆଇଏସ୍- ଖୁରାସାନ୍ । କଣ ଏହି ପାର୍ସି ଶବ୍ଦ ଖୁରାସାନର ଅର୍ଥ । ଏହାର ଅର୍ଥ ଯେଉଁଠୁ ସୂର୍ଯ୍ୟ ଉଦୟ ହୁଏ ।ଏହା ଅନେକ ପ୍ରାଚୀନ ସ୍ଥାନକୁ ବୁଝାଏ ଯାହା ଅନ୍ତର୍ଗତ ରହିଛି ଉଜବେକିସ୍ତାନ, କାଜାଖସ୍ତାନ, ତୁର୍କମେନିସ୍ତାନ, ଆଫଗାନିସ୍ତାନ, , ଇରାନ୍, ଚୀନର କିଛି ଅଂଶ, ଭାରତର କାଶ୍ମୀର, ଗୁଜରାଟ ପରି ଇଲାକା । ଆରବିୟନ୍ ରାଷ୍ଟ୍ର ସହ ଏସବୁ ଅଂଚଳରେ କଠୋର ସରିୟା ନିୟମ ଲାଗୁ କରି ଆଧିପତ୍ୟ ବିସ୍ତାର କରିବାକୁ ଚାହେଁ ଆଇଏସଆଇଏସ-କେ । ଏହା ଆଇଏସଆଇଏସର ଏକ ଅଂଶ । ତେବେ ତାଲିବାନର ନିୟମ ଯଥେଷ୍ଟ ନୁହେଁ ବୋଲି କହି ଆହୁରି ଭୟଙ୍କର ଆକ୍ରମଣର ନମୂନା ଦେଖାଉଛି ଆଇଏସଆଇଏସ-କେ ।

ଏହାର ମୂଳଦୁଆ ପାକିସ୍ତାନ ଓ ଆଫଗାନିସ୍ତାନ । ଏହାର ହେଡକ୍ୱାର୍ଟର ଆଫଗାନିସ୍ତାନର ଲଙ୍ଗରହାରରେ ଯାହା ପାକିସ୍ତାନର ଖୁବ ନିକଟରେ । ତାଲିବାନୀ କମାଣ୍ଡର ମୁଲ୍ଲା ଉମରଙ୍କ ମୃତ୍ୟୁ ପରେ କିଛି ତାଲିବାନୀ ଆତଙ୍କବାଦୀ ଏଥିରୁ ବାହାରି ଆଇଏସଆଇଏସ ସହ ହାତ ମିଳାଇଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଖୁରାସାନ ରାଜ୍ୟର ସ୍ଥାପନା । ଏଠି ପ୍ରଶ୍ନ ଉଠୁଛି ଯଦି ତାଲିବାନ୍ ଓ ଆଇଏସଆଇଏସ-କେ ର ଉଦ୍ଦେଶ୍ୟ ସରିୟା ଶାସନ ତେବେ ଦୁହିଁଙ୍କ ମଧ୍ୟରେ ଶତ୍ରୁତା କ’ଣ? ଦୁହିଁଙ୍କ ଉଦ୍ଦେଶ୍ୟ ସରିୟା ଜିହାଦି ସ୍ଥାପନା । ତେବେ ତାଲିବାନ୍ କେବଳ ଆଫଗାନିସ୍ତାନକୁ ଟାର୍ଗେଟ କରୁଥିବାବେଳେ ଆଇଏସଆଇଏସ-କେ ସାରା ଦୁନିଆ ଉପରେ । ବହୁ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଫାଟ ହୋଇସାରିଛି । ଆଫଗାନିସ୍ତାନରୁ ନିଜ ସେନା ପ୍ରତ୍ୟାହାର କରିନେବା ପୂର୍ବରୁ ତାଲିବାନ୍ ସହ ଏକାଧିକ ଥର ଆଲୋଚନା କରିଥିଲା ଆମେରିକା ସରକାର । ଏହି ଆଲୋଚନାକୁ ସହଜରେ ଗ୍ରହଣ କରିପାରିନଥିଲା ଆଇଏସଆଇଏସ-କେ । ତାଲିବାନକୁ ଆମେରିକା ହାତର କାଠ କଣ୍ଢେଇ କହି ପ୍ରତ୍ୟାକ୍ଷାନ କରିଥିଲା ଆଇଏସଆଇଏସ-କେ । ଏହାପରେ ତାଲିବାନ ଓ ଆମେରିକାର ମିଳିତ ଆକ୍ରମଣରେ ଆହୁରି ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଆଇଏସଆଇଏସ-କେ ।ତେଣୁ କେବେ ନା କେବେ ଏହି ସଙ୍ଗଠନ ଆଫଗାନିସ୍ତାନକୁ ଆକ୍ରମଣ କରିବ ବୋଲି ଆଶଙ୍କା ଥିଲା ।

ତାଲିବାନଠାରୁ ଅଧିକ ଶକ୍ତିଶାଳି ଭାବି ଆଇଏସଆଇଏସ-କେ ଉପରେ ଆମରିକା ଏୟାର ଷ୍ଟାଇକ କରିବା ପରେ ଦୁହେଁ ହୋଇଯାଇଥିଲେ ପୁରସ୍ପରର ଶତ୍ରୁ । ଏହାପରେ ତାଲିବାନ ସହ ମଧ୍ୟ ଆରମ୍ଭ ହୋଇଯାଇଥିଲା ଆଇଏସଆଇଏସ-କେ ର ଟକ୍କର । ୨୦୧୬ରେ ଆମେରିକାର ଆକ୍ରମଣରେ ଏହି ସଙ୍ଗଠନରେ ମାତ୍ରରେ ୧୫୦୦ରୁ ୨୦୦୦ ଆତଙ୍କବାଦୀ ବଂଚିଥିଲେ । ୨୦୧୭ ଏପ୍ରିଲରେ ଏହାର ହେଡକ୍ୱାର୍ଟର ଲାଙ୍ଗରହାରାରେ ଏୟାରଷ୍ଟ୍ରାଇକ କରିବାରୁ ୩୦ଜଣ ଆତଙ୍କବାଦି ନିହତ ।ଏହାପରେ ଆମେରିକା ନିରବ ରହିଯାଇଥିଲା ।ହେଲେ ଏହା ମଧ୍ୟରେ ନିଜକୁ ମଜବୁତ କରିଥିଲା ଆଇଏସଆଇଏସ-କେ, ହୋଇଯାଇଥିଲା ଆହୁରି ହିଂସ୍ର । ୨୦୨୦ରେ ସିହାବ-ଅଲ –ମୁଜାହିରକୁ ଲିଡର ଘୋଷଣା କରିବା ପରେ ଆଫଗାନିସ୍ତାନକୁ ଦୋହଲାଇଦେଇଥିଲା । ଗତ ବର୍ଷ ଶିଖମାନଙ୍କ ଗୁରୁଦ୍ୱାରା ଉପରେ ଆକ୍ରମଣ କରିବା ସହ କାବୁଲର ଏକ ମହିଳା ହସ୍ପିଟାଲକୁ ଟାର୍ଗେଟ କରିଥିଲା, ଏଥିରେ ୨୪ଜଣ ମହିଳାଙ୍କ ସହ ନବଜାତକଙ୍କ ମୃତ୍ୟୁ ହୋଇଥିଲା, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ଆଗକୁ ଆହୁରି ଆକମଣ କରିବାର ଧମକ ମଧ୍ୟ ଦେଇଥିଲା । ଆଉ ପ୍ରମାଣ କରିଦେଲା ଯେ ତାଲିବାନଠାରୁ ମଧ୍ୟ ସେ କେତେ ଭୟଙ୍କର । ଲସ୍କର-ଏ ତୋୟବା, ମୁଜାହିଦ୍ଦିନ ପରେ ଏବେ ସାରା ବିଶ୍ୱକୁ ଘାରିଛି ଆଇଏସଆଇଏସ-କେର ଡର ।