କନକ ବ୍ୟୁରୋ: କ୍ୟାନସର ପୀଡିତାଙ୍କ ମନରେ ଆଶାର ଆଲୋକ ସ୍ୱରୂପ ସାରା ବିଶ୍ୱରେ ସେପ୍ଟେମ୍ବର ୨୨ ଆଜିର ଦିନକୁ ଗୋଲାପ ଦିବସ ଭାବେ ପାଳନ କରାଯାଉଛି । କ୍ୟାନସରେ ପୀଡିତ ବ୍ୟକ୍ତିଙ୍କ ମନରେ ସକାରାତ୍ମକ ଭାବନାର ଉଦ୍ରେକ କରିବାକୁ ଏହା ଏକ ଉଦ୍ୟମ । କାନାଡାର ୧୨ ବର୍ଷିୟା ମେଲିଣ୍ଡା ରୋଜଙ୍କ ସ୍ମୃତିରେ ଏହି ଦିବସକୁ ପାଳନ କରାଯାଉଛି । ୧୯୯୪ରେ ମାତ୍ର ୧୨ ବର୍ଷ ବୟସରେ ରକ୍ତ କ୍ୟାନ୍ସରରେ ପୀଡିତ ହୋଇ ଯନ୍ତ୍ରଣା ପାଉଥିବାବେଳେ ଡାକ୍ତର ତାଙ୍କୁ ମାତ୍ର ଦୁଇ ସପ୍ତାହର ସମୟ ଦେଇଥିଲେ । ହେଲେ ମିଲିଣ୍ଡା ମୃତ୍ୟୁକୁ ଭୟ ନକରି ବେଶ ଖୁସିରେ ରହିବାକୁ ଚେଷ୍ଟା କରୁଥିଲେ ।ତାଙ୍କର ଏହି ମନୋଭାବ ତାଙ୍କର ଆୟୁଷକୁ ୬ ମାସ ବଢାଇ ଦେଇଥିଲା । ଶେଷରେ ସେପ୍ଟେମ୍ବର ୨୨ ରେ ପ୍ରାଣ ହରାଇଥିଲେ ମିଲିଣ୍ଡା ରୋଜ୍ । ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ ମନୋଭାବକୁ ପ୍ରତିଟି ପୀଡିତଙ୍କ ପାଖରେ ପହଂଚାଇବାକୁ ପ୍ରତିବର୍ଷ ଏହି ଦିନକୁ ସାରା ବିଶ୍ୱରେ ‘ରୋଜ ଡେ’ ଭାବେ ପାଳନ କରାଯାଉଛି ।
ସାରା ବିଶ୍ୱରେ ଏବେ କାୟା ବିସ୍ତାର କରୁଛି କ୍ୟାନସର୍ । ଦି ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସରର ୨୦୨୦ ରିପୋର୍ଟ ମୁତାବକ ଏବେ ସାରା ବିଶ୍ୱରେ ବଢି ଚାଲିଛି କ୍ୟାନସର ପରି ଘାତକ ବ୍ୟାଧି । ସାରା ବିଶ୍ୱରେ ବିଭିନ୍ନ ରୋଗରେ ମୃତ୍ୟୁ ସଂଖ୍ୟା ୭୩% ହୁଏ ଏଥିରୁ କେବଳ କ୍ୟାନସରରେ ୯% ପ୍ରାଣ ହରାଉଛନ୍ତି । ଏପରି ଏକ ଘାତକ ଓ ଯନ୍ତ୍ରଣାଦାୟକ ରୋଗରେ ପୀଡିତଙ୍କ ମନରେ ସକାରାତ୍ମକ ଭାବନା ଉଦ୍ରେକ କରିବା ସହ ବଂଚିବାକୁ ପ୍ରେରଣା ଦେବା ଅର୍ଥରେ ସାରା ବିଶ୍ୱରେ ପାଳନ କରାଯାଉଛି । ବର୍ଦ୍ଧିତ ଜନସଂଖ୍ୟା ସାଙ୍ଗକୁ, ପରିବେଶ, ପ୍ରଦୂଷଣ, ମାଦକ ଦ୍ରବ୍ୟ ସେବନ, ଅପମିଶ୍ରିତ ଖାଦ୍ୟ ପାନୀୟ ଗ୍ରହଣ, ଶାରୀରିକ ପରିଶ୍ର୍ରମର ଅଭାବ, ପ୍ରତିକୂଳ ପରିବେଶରେ କାର୍ଯ୍ୟ, ସୂର୍ଯ୍ୟରୁ ଆସୁଥିବା ବିଭିନ୍ନ ରେଡିଏସନ୍ କହିବାକୁ ଗଲେ ସାମ୍ପ୍ରତିକ ସାମାଜିକ ଓ ଆର୍ଥିକ ସ୍ଥିତି ହିଁ କ୍ୟାନସର ପରି ରୋଗକୁ ଆମନ୍ତ୍ରଣ କରୁଥିବା ଜଣାପଡିଛି । ତେବେ ଏହି ରିପୋର୍ଟ ମୁତାବକ, ସାରା ବିଶ୍ୱରେ ଅଷ୍ଟ୍ରେଲିଆରେ ସର୍ବାଧିକ କ୍ୟାନସର ପୀଡିତ ଥିବାବେଳେ ଦ୍ୱିତୀୟରେ ରହିଛି ଦକ୍ଷିଣ କୋରିଆ ତା ପରେ ମାଲେସିଆ ।
ଏହି ସୂଚିରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ବିଶ୍ୱ ସ୍ତରରେ ପ୍ରତି ୮ ଜଣ ପୁରୁଷରେ ଜଣେ ପୁରୁଷ କ୍ୟାନସରରେ ଆକ୍ରାନ୍ତ ହେଉଥିବାବେଳେ ପ୍ରତି ୧୧ଜଣ ମହିଳାଙ୍କ ମଧ୍ୟରେ ଜଣେ ମହିଳା ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏଥିରେ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ପୀଡିତ ହେଉଛନ୍ତି । ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ଦେଖାଯାଉଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଫୁସଫୁସ୍ ଓ ପ୍ରୋଟେଷ୍ଟ କ୍ୟାନ୍ସର ଅଧିକ ପରିଲକ୍ଷିତ ହେଉଛି । ଏପରି ପରିପେକ୍ଷିରେ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଏକ ବଡ ଆହ୍ୱାନ୍ ।