କନକ ବ୍ୟୁରୋ: ବିଶ୍ୱ ରେଡିଓ ଦିବସ । ପ୍ରତିବର୍ଷ ଫେବ୍ରୁଆରୀ ୧୩କୁ ୱାଲ୍ଡ ରେଡିଓ ଡେ ବା ବିଶ୍ୱ ରେଡିଓ ଦିବସ ଭାବରେ ପାଳନ କରାଯାଏ । ଦିନେ ଏହି ରେଡିଓ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ଆଜି ବି ଏହି ରେଡିଓକୁ ସାଇତି ରଖିଛନ୍ତି ଅନେକ ରେଡିଓ ପ୍ରେମୀ । କଟକ ଜିଲ୍ଲା କିଶନନଗର ତହସିଲ ଅଧିକ ଅରିଲୋ ପଞ୍ଚାୟତ ବସ୍ତପଡ଼ା ଗାଁର କାଳିପ୍ରସାଦ ପଣ୍ଡା । ନିଜ ଘରେ ବିଭିନ୍ନ ସମୟର ବିଭିନ୍ନ କମ୍ପାନୀ ରେଡିଓ ଆଉ ଗ୍ରାମଫୋନକୁ ସାଇତି ରଖିଛନ୍ତି । ୧୯୫୦ ମସିହାର ରେଡିଓ ଲା କମ୍ପାନୀଠାରୁ ଆରମ୍ଭ କରି ଜାପାନ, ବୁସ, ମରଫି, ଫିଲିପ୍ସ କମ୍ପାନୀର ରେଡିଓ ରଖିଛନ୍ତି ।

Advertisment

ଯେଉଁ ସମୟର ରେଡିଓ ଖୋଜିବେ ତାଙ୍କ ପାଖରେ ସଚଳ ଅବସ୍ଥାରେ ପାଇବେ । ଆଉ ପୁରୁଣା ଗ୍ରାମଫୋନରେ ସୁନ୍ଦର ଭାବେ ଶୁଣିବାକୁ ପାଇବେ ସେତେବେଳେର ସ୍ମୃତି ବହନ କରୁଥିବା ଚଳଚ୍ଚିତ୍ରର ଗୀତ । ସେଥିପାଇଁ ଏ ଅଞ୍ଚଳରେ ତାଙ୍କୁ ରେଡିଓମ୍ୟାନ କହନ୍ତି । ଏସବୁ କାମ ପାଇଁ ପ୍ରେରଣା ପାଇଥିଲେ ତାଙ୍କ ବାପାଙ୍କ ଠାରୁ ବୋଲି ସେ କହିଛନ୍ତି । ରେଡିଓକୁ କାଳୀପ୍ରସାଦ ରେଡିଓ ଫେୟାରରେ ପ୍ରଦର୍ଶିତ କରି ବହୁବାର ପୁରସ୍କୃତ ହୋଇଛନ୍ତି । ଏହି ସବୁ କାମର ଅଧିକ ଉତ୍ସାହ ଓ ସହଯୋଗ କରିଥାନ୍ତି ତାଙ୍କ ସହଧର୍ମିଣୀ । ସମୟ ବଦଳିଛି ହେଲେ ରେଡିଓର ଚାହିଦା କମିନି । ଆଜିବି ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛି ରେଡିଓ । ସରକାର ରେଡିଓ ଉପରେ ଅଧିକ ଗୁରୁତ୍ୱ ଦେଲେ ଏହା ଆଗାମୀ ଯୁବପିଢ଼ୀଙ୍କ ପାଇଁ ପ୍ରମୁଖ ମାଧ୍ୟ ପାଲଟିବ ବୋଲି କହିଛନ୍ତି କାଳୀପ୍ରସାଦ ।