କନକ ବ୍ୟୁରୋ : ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଥରେ ଭାବନ୍ତୁ ଯଦି ଆପଣ ସବୁଦିନ ସେମିତି ସୁନ୍ଦର ଦେଖା ଯାଉଥିବେ । ତେବେ ସବୁବେଳେ ଜଣେ ସୁନ୍ଦର ଦେଖାଯିବା କଣ ସମ୍ଭବ । କାରଣ ବୟସ ବଢିବା ସହ ମଣିଷର ସୌନ୍ଦର୍ଯ୍ୟ ହ୍ରାସ ପାଏ । କିନ୍ତୁ ଚିକିତ୍ସା ବିଜ୍ଞାନ ଚିରକାଳ ସୁନ୍ଦର ରଖିବାରେ ସମର୍ଥ ହୋଇପାରିଛି । ଆଜି ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସରେ ଚର୍ଚ୍ଚା କରିବା କସ୍ମେଟିକ ସର୍ଜରୀ ବିଷୟରେ । ଚିକିତ୍ସା ବିଜ୍ଞାନରେ ପ୍ଲାଷ୍ଟିକ ସର୍ଜରି ବା ଏହାର ଏକ ଅଂଶ ଭାବରେ କସ୍ମେଟିକ ସର୍ଜରୀ ଅନେକ ଚମତ୍କାର କରିଛି ।

Advertisment

ଏସିଡ ପିଡୀତ କୁହନ୍ତୁ କିମ୍ବା ପୋଡା, ଜଳାରେ ନଷ୍ଟ ହୋଇଯାଉଥିବା ଚର୍ମକୁ ଠିକ କରିବାରେ ପ୍ଲାଷ୍ଟିକ ସର୍ଜରୀ ସହାୟକ ହୋଇପାରୁଛି । ଦୁର୍ଘଟଣାରେ ସୃଷ୍ଟି ହେଉଥିବା କ୍ଷତ ଚିହ୍ନକୁ ବି ପ୍ଲାଷ୍ଟିକ ସର୍ଜରୀ ଜରିଆରେ ଠିକ କରାଯାଇ ପାରୁଛି । ଏବେ କିନ୍ତୁ ଅଧିକ ସୁନ୍ଦର ଦେଖିଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଯୁବପୀଢିଙ୍କ ପସନ୍ଦ ପାଲଟିଛି । ଅନେକ ଅଭିନେତା, ଅଭିନେତ୍ରୀ ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ନିଜ ଚେହେରାରେ ପରିବର୍ତନ କରୁଛନ୍ତି । କାହାର ନାକ, ଆଖି ପତା ବା ଓଠକୁ ସଜାଡି ଦେଇ ମୁହଁକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଲିବ୍ରିଟିମାନେ ଚେଷ୍ଟା କରି ସଫଳ ବି ହୋଇଛନ୍ତି ।

ବୟସ ବଢିବା ପରେ ବି କେମିତି ସୌନ୍ଦର୍ଯ୍ୟ ଅତୁଟ ରହିବ ଏବଂ ବୟସ କମ୍ ଲାଗିବ ସେଥିପାଇଁ ଏମାନେ ସବୁବେଳେ ଚେଷ୍ଟା କରନ୍ତି । କହିବାକୁ ଗଲେ ଭଗବାନଙ୍କ ସୃଷ୍ଟିକୁ ବି ବଦଳାଇ ଦେଇପାରୁଛି ଚିକିତ୍ସା ବିଜ୍ଞାନର ଚମକ୍ରାର । କିନ୍ତୁ ଏହି ବ୍ୟୟବହୁଳ ଚିକିତ୍ସା ଅନେକଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ବେଳେବେଳେ ଏଭଳି ଅସ୍ତ୍ରୋପଚାରର ନକାରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଅଧିକ ସୁନ୍ଦର ହେବାର ନିଶାରେ ବେଳେବେଳେ ଅସ୍ତ୍ରୋପଚାର ଶରୀରକୁ ବିକୃତ ବି କରିଦେଇପାରେ ।