କନକ ବ୍ୟୁରୋ : ତମାଖୁ ସେବନ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିଚାଲିଛି। ଏ ନେଇ ବିଭିନ୍ନ ସ୍ତରରେ ଜନସଚେତନତା ସୃଷ୍ଟି କରାଯାଉଛି। ତମାଖୁ ସେବନ ଦ୍ୱାରା କେବଳ କର୍କଟ ନୁହେଁ, ହୃଦରୋଗ ଆଶଙ୍କା ବି ରହିଛି। ଏବେ ଦେଶରେ ୩୦% ଲୋକ ତମାଖୁ ସେବନ ଦ୍ୱାରା ହୃଦରୋଗର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାର ମାତ୍ରା ବି ଦିନକୁ ଦିନ ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି। ତମାଖୁ ସେବନ ଜନିତ ହୃଦରୋଗ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ସାରା ବିଶ୍ୱରେ ମୁଣ୍ଡ ଟେକିଛି। ରାଜ୍ୟ ତଥା ଦେଶରେ ଦିନକୁ ଦିନ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଛି।

Advertisment

publive-image

୨୦୧୬-୧୭ ସର୍ଭେ ଅନୁସାରେ ଭାରତରେ ପ୍ରାୟ ୭୦% ଲୋକ ତମାଖୁ ବ୍ୟବହାର କରନ୍ତି। ୧୯% ପୁରୁଷ ଓ ୯% ମହିଳା ଧୂଆଁ ଯୁକ୍ତ ତମାଖୁ ବ୍ୟବହାର କରୁଥିବା ବେଳେ ୨୯.୬% ପୁରୁଷ ଓ ୧୨.୮% ମହିଳା ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଥିବା ଦେଖାଦେଇଛି। ୪୨% ପୁରୁଷ ଏବଂ ୧୪.୨% ମହିଳା ଗୁଟଖା ଓ ସିଗାରେଟ୍ ବ୍ୟବହାର କରନ୍ତି। ଏଥିରୁ ୫୫.୪% ଧୂମପାନ କରି ତ୍ୟାଗ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ୪୯% ଗୁଟଖା ଛାଡ଼ିବା ପାଇଁ ପ୍ରାୟସ କରୁଛନ୍ତି। ସେହିପରି ଭାବେ ୪୮% ଲୋକଙ୍କୁ ଡାକ୍ତର ଧୂମପାନ ଓ ୩୧%ଙ୍କୁ ଗୁଟଖା ଛାଡ଼ିବା ପାଇଁ କହିଛନ୍ତି। ୯୨% ଲୋକ ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଭାବୁଥିବା ବେଳେ ୯୫% ଗୁଟଖା ଖାଇବା ଦ୍ୱାରା ମଣିଷ ମୃତ୍ୟୁମୁଖରେ ପଡ଼ୁଛି ବୋଲି ଚିନ୍ତା କରୁଛନ୍ତି।

publive-image

ତମାଖୁ ସେବନର ଭୟାବହତାକୁ ନଜରରେ ରଖି ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ଭାବେ ଆଇନ୍ ପ୍ରଣୟନ କରାଯାଇଛି। କିନ୍ତୁ ତାହାର କାର୍ଯ୍ୟକାରିତା ସଫଳତାର ସହ କରାଯାଇପାରୁନି। ରାଜ୍ୟ ସରକାର ୨୦୧୩ ଜାନୁୟାରୀରେ ଗୁଟଖା, ତମାଖୁ ପରି ନିଶା ଦ୍ରବ୍ୟ ଉତ୍ପାଦନ, ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ପରେ କିଛି ଦିନ ଗୁଟଖା ବିକ୍ରି ଉପରେ ରୋକ୍ ଲାଗିଲା। ଯିଏ ବିକ୍ରି କଲେ ଲୁଚାଛପାରେ କଲେ। କିନ୍ତୁ କିଛି ଦିନ ପରେ ନିୟମକୁ ଫୁ କରି ଖୋଲାଖୋଲି ଗୁଟଖା ବିକ୍ରି ଚାଲିଲା। ଏବେ ଏମିତି ଏକ ନିୟମ ଅଛି ବୋଲି ସାଧାରଣ ଜନତା ଜାଣିପାରୁନାହାନ୍ତି। ତମାଖୁରେ ସବୁଠାରୁ ବିପଜ୍ଜନକ କୁହାଯାଉଥିବା ଗୁଟଖାକୁ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ଆନ୍ତରିକତାର ଅଭାବ ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି।

publive-image

ପ୍ରତ୍ୟେକ ବର୍ଷ ମେ’ ୩୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ରୂପେ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍ ରହିଛି ‘ତମାଖୁ ଓ ହୃଦ୍ରୋଗ’। ତମାଖୁ ବ୍ୟବହାର ଦ୍ୱାରା ହେଉଥିବା ହୃଦରୋଗ ଓ ବିଶ୍ୱ ସମୁଦାୟ ଉପରେ ଏହାର ଖରାପ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। କିପରି ତମାଖୁର ବ୍ୟବହାର ଆମର ହୃତପିଣ୍ଡ ଉପରେ ଖରାପ ପ୍ରଭାବ ପକାଉଛି ଓ ହୃଦରୋଗର ମୁଖ୍ୟ କାରଣ ସାଜିଛି, ସେ ନେଇ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତମାଖୁ ବର୍ଜନ ପାଇଁ କେବଳ ସରକାରୀ ସ୍ତରରେ ସଚେତନତା ସୃଷ୍ଟି ହେଲେ ହେବ ନାହିଁ, ଏ ନେଇ ଜନସାଧାରଣ ନିଜ ଆଡ଼ୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।